Odisha Link
Bridging the Missing Links in Odisha

ପଇଡ଼ ବୋଝେଇ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ

କୋରାପୁଟ: ଗଞ୍ଜେଇ ମାଫିଆଙ୍କ ପଇଡ଼ ଜ୍ଞାନ। ହେଲେ ଫସର ଫାଟିଲା ସମସ୍ତ ଉଦ୍ୟମ। ପଇଡ଼ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିଲେ ଦୁର୍ବୁତ୍ତ। ହେଲେ ପୁଲିସ୍‌ ପାଇଗଲା ସୂଚନା। ଗଞ୍ଜେଇ ଚାଲାଣ କରି ପୁଲିସ୍‌ ହାତରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ।

ମିଳିଥିବା ସୂଚନା ମୁତାବିକ, ଧରା ପଡ଼ିଥିବା ଗଞ୍ଜେଇ ମାଫିଆ ମାନେ ସମସ୍ତେ ହେଉଛନ୍ତି ଉତ୍ତର ପ୍ରଦେଶର। ଏହି ତିନି ଜଣ ପାଡୁଆ ଅଞ୍ଚଳରୁ ଟ୍ରକ୍‌ରେ ସାଢ଼େ ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ନେଇ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିଲେ। ପୁଲିସ୍‌କୁ ଚକମା ଦେବାକୁ ଟ୍ରକ୍‌ରେ ପଇଡ଼ ଲଦି ଥିଲେ। କିନ୍ତୁ ନନ୍ଦପୁର ପୁଲିସ୍ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ସାରିଥିଲା। ତେଣୁ ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଥାନା ଅଧିକାରୀ କପିଳେଶ୍ୱର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରି ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ।

ଗଞ୍ଜେଇ ବୋଝେଇ ହୋଇ ଏହି ଟ୍ରକ୍‌ଟି ପାଡ଼ୁଆ ପଟୁ ଆସୁଥିବା ବେଳେ ନନ୍ଦପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ୍‌ ଅଟକାଇ ଥିଲା। ଆଉ ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପୁଲିସ୍ ଟ୍ରକ୍‌ଟିକୁ ଜବତ କରି ଥାନାକୁ ନେଇଥିଲା। ସେଥିରୁ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.