Odisha Link
Bridging the Missing Links in Odisha

ମନ୍ଦିରରେ ଗଞ୍ଜେଇ ନିଷେଧାଦେଶକୁ ତଥାଗତଙ୍କ ବିରୋଧ

ଓଏଲ୍‌ ବ୍ୟୁରୋ: ଏଣିକି ଓଡ଼ିଶାର ସମସ୍ତ ଶୈବ ପୀଠ ବା ଶିବ ମନ୍ଦିରରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର। ଏନେଇ ନିର୍ଦ୍ଦେଶ ଦେଇଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଛି ବିଭାଗ। ଅନ୍ୟପଟେ ଏପରି ଚିଠିକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ ବିରୋଧ କରିଛନ୍ତି।

ତଥାଗତ ସତପଥୀ ଟ୍ବିଟ୍‌ କରି କହିଛନ୍ତି, “ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଶିବ ମନ୍ଦିରରେ ଗଞ୍ଜେଇ ନିଷେଧ କରିଛନ୍ତି। ଏହା ଅପ୍ରଗତିଶୀଳ ଓ ଓଡ଼ିଆ ବିରୋଧୀ ମନଭାବର ପରିଚାୟକ। ଆଜିକାଲିର ପ୍ରଶାସକମାନେ ଓଡ଼ିଆ ସଂସ୍କୃତି ବାବଦରେ ଅଜ୍ଞ। ଏଭଳି ବିଜ୍ଞପ୍ତିକୁ ମୁଁ ଦୃଢ଼ ନିନ୍ଦା କରିବା ସହ ଏହାର ପ୍ରତ୍ୟାହାର ଦାବି କରୁଛି।” ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏଭଳି ବିଜ୍ଞପ୍ତିକୁ ବିରୋଧ କରୁଛି ବୋଲି କହିଛନ୍ତି।

ସୂଚନାଥାଉକି, ଏହାପୂର୍ବରୁ ମଧ୍ୟ ତଥାଗତ ସତପଥୀ ଗଞ୍ଜେଇ ସପକ୍ଷରେ ମନ୍ତବ୍ୟ ରଖିଛନ୍ତି। ୨୦୧୯ ମସିହା ନଭେମ୍ବର ମାସରେ ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ ବୋଲି ଅବକାରୀ ବିଭାଗ ସଚିବ ବିଜ୍ଞପ୍ତି ଜାରି କରିଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ଗଞ୍ଜେଇର ଅନେକ ଲାଭଦାୟକ ଦିଗ ଅଛି। କ୍ୟାନ୍‌ସର, ଶ୍ବାସ ରୋଗ ପାଇଁ ଏଥିରୁ ଔଷଧ ତିଆରି ହୁଏ। ଗଞ୍ଜେଇ ଚାଷକୁ ଡିକ୍ରିମିନାଲାଇଜେସନ କରାଯାଉ ବୋଲି ମଧ୍ୟ ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ଗଞ୍ଜେଇ ଚାଷ ସହଜ । ଏହି ଚାଷ କଲେ ବେଶି ପାଣି, ଖତ, ସାର ଦରକାର ନାହିଁ। କ୍ଷୁଦ୍ର ଚାଷୀମାନେ ଏହାକୁ ଚାଷ କରି ବିଶେଷ ଲାଭବାନ ହେବେ। ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ଦରକାର ବୋଲି ସେ କହିଥିଲେ। ଉତ୍ତାରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇଛନ୍ତି। ଆମ ସରକାର ଏହାକୁ ମନା କରିବା ସଂପୂର୍ଣ୍ଣ ଦୂରଦୃଷ୍ଟିହୀନତା। ଆଇନରେ ସଂଶୋଧନ ଆଣି ଗଞ୍ଜେଇ ଚାଷକୁ ଅନୁମତି ଦେବା ଉଚିତ ବୋଲି ସେ କହିଥିଲେ।

ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। ଅନନ୍ତ ବଳିଆ ଟ୍ରଷ୍ଟର ପୂଜ୍ୟପୂଜକ ବଳିଆ ଶୈବପୀଠରେ ଗଞ୍ଜେଇ ନିଷେଧ କରିବାକୁ ଚିଠି ଲେଖି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ।

ଶୈବପୀଠରେ ଗଞ୍ଜେଇ ବ୍ୟବହାର ଉପରେ କଟକଣାକୁ ନେଇ ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି, ଶୈବପୀଠରେ ଗଞ୍ଜେଇ ନିଷେଧକୁ ମୁଁ ସ୍ୱାଗତ କରୁଛି। ଗଞ୍ଜେଇ ଟାଣିବା ଦ୍ୱାରା ଯୁବପିଢ଼ି ବେମାରିଆ, ଅଳ୍ପାୟୁଷ ହେଉଛନ୍ତି। ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ଗଞ୍ଜେଇ ପଡ଼େ ବୋଲି ମୁଁ ଜାଣିନି। ଗଞ୍ଜେଇ ବ୍ୟାନ୍ ପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲି। ଓଡ଼ିଶା ସରକାର ବ୍ୟାନ୍ କରିଥିବାରୁ ମୁଁ ବହୁତ ଖୁସି।

Leave A Reply

Your email address will not be published.