Odisha Link
Bridging the Missing Links in Odisha

ବର୍ଷା ଆଶଙ୍କା,୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମାଳଦ୍ୱୀପ କମୋରିନ୍ ଅଞ୍ଚଳ ସହ ଦକ୍ଷିଣପଶ୍ଚିମ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେଉଛି। ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଆଜି ସକାଳୁ ଦକ୍ଷିଣପଶ୍ଚିମ ବାୟୁ ସକ୍ରିୟ ହୋଇଛି। ମେ ୩୧ ସୁଦ୍ଧା ଦକ୍ଷିଣମୌସୁମୀ ବାୟୁ କେରଳ ଛୁଇଁବା ନେଇ ସ୍ଥିତି ଉପୁଜିଥିବା ଆକଳନ କରିଛି ପାଣିପାଗ ବିଭାଗ।

ଏହାର ପ୍ରଭାବରେ ରାଜ୍ୟର ୫ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଏଥିସହ କାଳବୈଶାଖୀ ନେଇ ୩୦ ତାରିଖ ପାଇଁ ଉତ୍ତର ଉପକୂଳ ଓଡ଼ିଶା ସହ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ବର୍ଷା ଘଡ଼ିଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।

୩୧ ତାରିଖ ପାଇଁ କାଳବୈଶାଖୀ ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨ରୁ ୩ ଦିନ ଯାଏ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.