Odisha Link
Bridging the Missing Links in Odisha

ଜୁନ ୮ରେ ଦକ୍ଷିଣ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ଆନ୍ଧ୍ର ପ୍ରଦେଶରେ ପହଞ୍ଚି ସାରିଥିବା ବେଳେ ଏହା ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳକୁ ଆଚ୍ଛାଦିତ କରିସାରିଛି। ଏହି ପରିପ୍ରେକ୍ଷୀରେ ଜୁନ ୮ କିମ୍ବା ୯ ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଛୁଇଁବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି।

ଆସନ୍ତା ୨ କିମ୍ବା ୩ ଦିନ ମଧ୍ୟରେ ମୌସୁମୀ କରେଣ୍ଟ ଅଧିକ ଶକ୍ତିଯୁକ୍ତ ହେବା ଫଳରେ ଜୁନ ୧୦ ବା ୧୧ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ସାରା ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି।

ଏହା ଏକ ଡିପ୍ରେସନର ରୂପ ନେବା ସହ ଜୁନ ୧୦ ତାରିଖ ରାତିରୁ ଜୁନ ୧୧ ତାରିଖ ରାତି ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ। ଏହାପରେ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।