Odisha Link
Bridging the Missing Links in Odisha

ରାଜସ୍ଥାନ ରାଜନୀତିରେ ସଙ୍କଟର ଦ୍ୱିତୀୟ ଲହର

ଜୟପୁର: ବର୍ଷକ ପରେ ପୁଣି ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନ ରାଜନୀତିରେ ଦେଖିବାକୁ ମିଳିଛି ରାଜନୈତିକ ସଙ୍କଟର ଦ୍ବିତୀୟ ଲହର। ପ୍ରଥମ ଲହରରେ ଅଶୋକ ଗେହଲଟ ଜେନତେନ ପ୍ରକାରେ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରି ସରକାର ବଞ୍ଚାଇବାରେ ସଫଳ ହୋଇଥିଲେ। ହେଲେ ଦ୍ବିତୀୟ ଲହରରେ ଅଶୋକ ଗେହଲଟ୍‌ଙ୍କ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ଜାରି ବିବାଦ ଥମିବାର ନାଁ ନେଉନାହିଁ। ମାମଲାର ସମାଧାନ ହୋଇପାରୁ ନଥିବାରୁ ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି। ଅନ୍ୟପଟେ ରାଜ୍ୟ କଂଗ୍ରେସରେ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ପାଇଲଟଙ୍କ ଗୋଷ୍ଠି ନାରାଜ ଥିବା ବେଳେ ଗତଥରର ସଙ୍କଟମୋଚକ ଏଥର ଅସନ୍ତୋଷ ପ୍ରକାଶ କରିଛନ୍ତି। ବହୁଜନ ସମାଜ ପାର୍ଟିରୁ କଂଗ୍ରେସକୁ ଡିଆଁ ମାରିଥିବା ୬ ଜଣ ନେତାଙ୍କୁ ବିଧାୟକ ପଦ ନମିଳିବାରୁ ନିରାଶ ଅଛନ୍ତି।

ବହୁଜନ ସମାଜ ପାର୍ଟି(ବିଏସପି)ରୁ କଂଗ୍ରେସରେ ମିଶିଥିବା ୬ ବିଧାୟକ ମଧ୍ୟ ପଦ ନମିଳିବା ନେଇ ଖପ୍ପା। ଏବ ସେମାନେ ଖୋଲାଖୋଲି ନିଜ ଇଚ୍ଛା ଜାହିର କରିବାରେ ଲାଗିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପାଇଲଟ୍ ଗୋଷ୍ଠୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିପାରୁ ନଥିବା ବେଳେ ଗତ ବର୍ଷ ବିଏସପିରୁ ଆସି କଂଗ୍ରେସ ସରକାରଙ୍କୁ ବଞ୍ଚାଇ ଦେଇଥିବା ବିଧାୟକମାନେ ମଧ୍ୟ ବର୍ତ୍ତମାନ ମନ୍ତ୍ରୀ ପଦ ଦାବି କରିଛନ୍ତି। ବିଧାୟକ ରାଜେନ୍ଦ୍ର ସିଂହ ଗୁଢା ଯାହା କିଛି ମନ୍ତବ୍ୟ ଦେଇଛନ୍ତି, ସେଥିରେ ଗେହଲଟ ସରକାରଙ୍କ ଚିନ୍ତା ବଢି ଯାଇଛି।

ବିଧାୟକ ଗୁଢା ଜୟପୁରରେ ଏକ ସାମ୍ଵାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତବର୍ଷ ଯେବେ ୧୯ କଂଗ୍ରେସ ବିଧାୟକ ଦଳ ଛାଡି ଚାଲିଗଲେ, ସେହି ସମୟରେ ସରକାର ସଙ୍କଟରେ ପଡି ଯାଇଥିଲା। ଯଦି ଆମେ ସମର୍ଥନ ଦେଇନଥାନ୍ତୁ ତେବେ ନିଶ୍ଚିତ ଭାବେ ସରକାର ଭାଙ୍ଗି ଯାଇଥାନ୍ତା। ଆଉ ଏଥର ସରକାର ଭାଙ୍ଗିବାର ଏକ ବର୍ଷ ପୂର୍ତ୍ତି ପାଳନ କରିବାକୁ ପ୍ରସ୍ତୁତି କରିଥାନ୍ତା କଂଗ୍ରେସ। ତେଣୁ ବର୍ତ୍ତମାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣର ୧୦୦ପ୍ରତିଶତ ଆବଶ୍ୟକତା ରହିଛି। ଏବେ ସରକାରଙ୍କୁ ଏହା ଉପରେ କାର୍ଯ୍ୟ କରିବା ଉଚିତ୍ ବୋଲି ଗୁଢା କହିଛନ୍ତି। ତାଙ୍କ ସାଥି ସହ ତାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଉ ବୋଲି ସେ ଇସାରାରେ ସଙ୍କେତ ଦେଇଛନ୍ତି।

Leave A Reply

Your email address will not be published.