ମନୀଷ ମାଲହୋତ୍ରାଙ୍କ ସମେତ ଆଉ ୨ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନରଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ବି-ଟାଉନର ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମାଲହୋତ୍ରା, ରିତୁ କୁମାର ଓ ସବ୍ୟସଚୀ ମୁଖାର୍ଜୀଙ୍କୁ ଇଡି ନୋଟିସ୍ ପଠାଇଛି। କୁହାଯାଉଛି ଯେ ଜଣେ ରାଜନେତାଙ୍କ ସହ ଲକ୍ଷ ଲକ୍ଷ ଟଙ୍କାର କାରବାର, ଟିକସ ଫାଙ୍କିବା ଭଳି ଅନେକ ମାମଲାରେ ଏହି ତିନିଜଣଙ୍କ ନା ସାମ୍ନାକୁ ଆସିଛି। ଏହି ମାମଲାରେ ପଚରାଉଚରା ପାଇଁ ତଦନ୍ତକାରୀ ସଂସ୍ଥା ତିନିଜଣ ଫ୍ୟାଶନ୍ ଡିଜାଇନରଙ୍କୁ ଦିଲ୍ଲୀ ଡାକି ପାରନ୍ତି।
ସୂଚନା ମୁତାବକ, ପଞ୍ଜାବର ଜଣେ ବିଧାୟକଙ୍କ ସହ ଜଡିତ ଏହି ତିନି ଫ୍ୟାଶନ ଡିଜାଇନରଙ୍କ ନାମ ଆସିଛି। ଯାହାଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ମନୀଷ ମଲହୋତ୍ରା, ସବ୍ୟସାଚୀ ମୁଖାର୍ଜୀ ଏବଂ ରିତୁ କୁମାରଙ୍କ ନାମ ଏହି ମାମଲାର ଅନୁସନ୍ଧାନରେ ବାହାରିଛି।
ଏଥି ସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଛି। ଯେଉଁଥିରେ କୁହାଯାଇଛି ଯେ କିଛି ବର୍ଷ ପୂର୍ବେ ଏହି ବିଧାୟକ ବିଳାସପୂର୍ଣ୍ଣ ଢଙ୍ଗରେ ବିବାହ କରିଥିଲେ ଯେଉଁଥିରେ ଏହି ତିନିଜଣ ଡିଜାଇନରଙ୍କଠାରୁ ପୋଷାକ କିଣାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କାର ଏହି ପୋଷାକ ନଗଦ ଆକାରରେ ଦିଆଯାଇଥିଲା। ଏହି ତିନିଜଣଙ୍କ ଉପରେ ଆୟକର ନିୟମ ଉଲ୍ଲଂଘନ ଏବଂ ଟିକସ ଫାଙ୍କିବା ଅଭିଯୋଗ ହୋଇଛି।
ଅନୁସନ୍ଧାନକାରୀ ସଂସ୍ଥାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆୟକର ବିଭାଗ ପଞ୍ଜାବର ବିଧାୟକ ଏବଂ ଏହି ତିନି ଫ୍ୟାଶନ ଡିଜାଇନରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିପାରେ। ଏହି ଫ୍ୟାଶନ ଡିଜାଇନର୍ ଏବଂ ସେମାନଙ୍କ କମ୍ପାନୀ ଉପରେ ଟ୍ୟାକ୍ସ ଫାଙ୍କିବା ପାଇଁ ମାମଲା ରୁଜୁ କରାଯାଇପାରେ।