Odisha Link
Bridging the Missing Links in Odisha

ବୁଧବାର ସନ୍ଧ୍ୟାରେ ଟିମ୍‌ ମୋଦୀର ନବକଳେବର, ଫୋକସରେ ଏହି ସବୁ ନେତା

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯାହାପାରେ ରାଜନୈତିକ ଉଷ୍ମତା ବଢ଼ି ଯାଇଛି। ପିଏମ୍‌ ମୋଦୀ କାହାକୁ ଇନ୍‌ ଆଉ କାହାକୁ ଆଉଟ୍‌ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ୨୦ରୁ ଅଧିକ ମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟରେ ସାମିଲ ହୋଇ ପାରନ୍ତି। ଅନ୍ୟପଟେ ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁ ରାଜ୍ୟଗୁଡିକରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେହି ରାଜ୍ୟକୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ଵ ଦିଆଯିବ। ଏହାପୂର୍ବରୁ ପିଏମ୍‌ ମୋଦୀ, ଅମିତ ଶାହା ଓ ଜେପି ନଡ୍ଡାଙ୍କ ମଧ୍ୟରେ ଘନ ଘନ ବୈଠକ ହେବାରେ ଲାଗିଛି। ଅନ୍ୟପଟେ କିଛି ନେତା ଡକରା ପାଇ ଦିଲ୍ଲୀ ଗସ୍ତ କରିଛନ୍ତି।

ଏସବୁ ମଧ୍ୟରେ କିଛି ମନ୍ତ୍ରୀଙ୍କୁ ଦାୟିତ୍ବରୁ ହଟାଇ ନୂଆ ଚେହେରାଙ୍କୁ ସାମିଲ କରାଯିବ ବୋଲି ଚର୍ଚ୍ଚା ହେଉଛି। ଏହା ବ୍ୟତୀତ ଆଞ୍ଚଳିକ ଦଳର ନେତାଙ୍କୁ ମନ୍ତ୍ରିପରିଷଦରେ ସାମିଲ କରି ଏନଡିଏ ନିଜକୁ ମଜବୁତ କରିବାକୁ ଚେଷ୍ଟା କରିବେ ନିଶ୍ଚୟ।

ଏହି ସବୁ ନେତା ଫୋକସରେ:

ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶରୁ ସିନ୍ଧିଆଙ୍କ ସହ ବିଜେପି ସାଂସଦ ରାକେଶ ସିଂହଙ୍କୁ ମଧ୍ୟ ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ସେପଟେ ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅପନା ଦଳର ଅନୁପ୍ରିୟା ପଟେଲଙ୍କ ସହିତ ପ୍ରାୟ ଚାରି ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।

ସେପଟେ ବିହାରରୁ ସୁଶୀଲ ମୋଦୀ ଓ ଜେଡିୟୁରୁ ଆରସିପି ସିଂହ ଓ ଏଲଜେପିରୁ ପଶୁପତି ପାରସଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ମହାରାଷ୍ଟ୍ରରୁ ନାରାୟଣ ରାଣେ, ହିନା ଗାବିତ ଓ ରଣଜୀତ ନାଇକ ନିମ୍ବଲକରଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। ସେହି ପରି ଜମ୍ମୁ-କଶ୍ମୀର ଓ ଲଦାଖରୁ ଜଣେ ଲେଖାଏଁ ମନ୍ତ୍ରୀ ଚୟନ କରାଯାଇପାରେ। ଏମାନଙ୍କ ଛଡ଼ା ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଚର୍ଚ୍ଚାରେ ରହିଛି। ମେଣ୍ଟଦଳକୁ ମଧ୍ୟ ଏଥର ମୋଦୀ ମନ୍ତ୍ରିମଣ୍ଡଳରେ ଅଂଶ ହୋଇ ପାରନ୍ତି। କ୍ୟାବିନେଟ୍‌ରେ ଜେଡିୟୁ, ଏଲଜେପି ଓ ଓ୍ଵାଇଏସଆର କଂଗ୍ରେସର ଅନେକଙ୍କୁ ମନ୍ତ୍ରୀ ପଦ ମିଳିପାରେ।

ଅନ୍ୟପଟେ ମନ୍ତ୍ରିମଣ୍ଡଳରେ ଅତିରିକ୍ତ ଭାର ସମ୍ଭାଳୁଥିବା ନଅ ମନ୍ତ୍ରୀଙ୍କୁ ଅତିରିକ୍ତ ମନ୍ତ୍ରଣାଳୟ ଛାଡି ପାରନ୍ତି। ସେଥିରେ ଅଛନ୍ତି ପ୍ରକାଶ ଜାବଡେକର, ପିୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ନୀତିନ ଗଡକରୀ, ଡ ହର୍ଷବର୍ଦ୍ଧନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ସ୍ମତି ଇରାନୀ ଓ ହରଦୀପ ସିଂହ ପୁରୀ। ବର୍ତ୍ତମାନ ମୋଦୀ ମନ୍ତ୍ରିମଣ୍ଡଳରେ ମୋଟ୍ ୫୩ ମନ୍ତ୍ରୀ ଅଛନ୍ତି। କିନ୍ତୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଆଉ ୨୮ ନୂତନ ମନ୍ତ୍ରୀ ଯୋଡା ଯାଇପାରେ। ସମ୍ବିଧାନ ଅନୁଯାୟୀ ସର୍ବାଧିକ ୮୧ ମନ୍ତ୍ରୀ ହୋଇ ପାରିବେ।

Leave A Reply

Your email address will not be published.