Odisha Link
Bridging the Missing Links in Odisha

ବିଜେଡି ଓ ବିଜେପି ମୁଖ୍ୟାଳୟର ହେବ ନବକଳେବର

ଭୁବନେ‌ଶ୍ବର: ନବକଳେବର ହେବ ବିଜେଡି ଓ ବିଜେପିର ରାଜ୍ୟ ମୁଖ୍ୟାଳୟ। ଏହି ଦୁଇ ପ୍ରମୁଖ ରାଜନୈତିକ ଦଳ କର୍ପୋରେଟ୍‌ ଅଫିସ୍‌ ଢାଞ୍ଚାରେ ନିର୍ମାଣ କରିବେ ନୂଆ କୋଠା। ଏଥିପାଇଁ ଦୁଇ ଦଳ ସାଧାରଣ ପ୍ରଶାସନ ବିଭାଗ ନିକଟରେ ଆବେଦନ କରି ଜମି କିଣି ନେଇଛନ୍ତି। ଆସନ୍ତା ବର୍ଷେରୁ ଦୁଇ ବର୍ଷ ମଧ୍ୟରେ ଦୁଇଟି ଦଳର ରାଜ୍ୟ କାର୍ଯ୍ୟାଳୟର ରୂପ ବଦଳିଯିବ।

ମିଳିଥିବା ସୂଚନା ଅନୁଯାୟୀ, ଭିଆଇଆର୍-୩ କ୍ବାର୍ଟର୍ସ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ପାଇଁ ଆବଣ୍ଟନ ହୋଇଥିବା ବେଳେ ବିଜେଡି ତାର ମୁଖ୍ୟାଳୟ ସମ୍ପ୍ରସାରଣ ଓ ନୂଆ କାର୍ଯ୍ୟାଳୟ ପାଇଁ ୟୁନିଟ-୬ରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆବଣ୍ଟନ ହେଉଥିବା କ୍ବାର୍ଟର୍ସ ଭି ୨/୧ ଏବଂ ଭି ୨/୨କୁ ନେଇଛି।

ଏହି ଦୁଇଟି କ୍ବାର୍ଟର୍ସର ଜମି ବିଜେଡିକୁ ଲିଜ୍ ଆକାରରେ ଦିଆଯିବା ପରେ ବିଜେଡି ଏହାକୁ ଫ୍ରି ହୋଲ୍ଡ କରି ନେଇଥିବା ସୂଚନା ରହିଛି। ଅର୍ଥାତ୍ ଏହି କ୍ବାର୍ଟର୍ସ ଯେଉଁ ଜମିରେ ନିର୍ମାଣ ହୋଇଛି ତାହାକୁ ବିଜେଡି ସରକାରୀ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟଙ୍କା ଜମା କରି କିଣି ନେଇଛି। ଏବେ ଏଠାରେ ନୂ୍ଆ କୋଠା ନିର୍ମାଣ ହେବ। ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି। ଆସନ୍ତା ରଥଯାତ୍ରା ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟାଳୟର ଶିଳାନ୍ୟାସ କରିବା ନେଇ ଆପାତତଃ ସ୍ଥିର ହୋଇଛି।

ସେହିପରି ଜନପଥ କଡ଼ରେ ୟୁନିଟ୍-୩ରେ ସରକାରୀ କ୍ବାର୍ଟର୍ସ ୪ଆର୍ ୩/୧ ଏବଂ ୩/୨ରେ ଚାଲିଥିବା ବିଜେପି ରାଜ୍ୟ କାର୍ଯ୍ୟାଳୟ ବି ଏକ କର୍ପୋରେଟ୍ ଅଫିସ୍ ଡିଜାଇନ୍ରେ ନୂଆ ରୂପ ପାଇବ। ଏଥି ପାଇଁ ଦଳ ପକ୍ଷରୁ ଜମି ମଗାଯାଇଥିଲା। ଏହା ପରେ ବିଜେପିକୁ ବର୍ତ୍ତମାନର କାର୍ଯ୍ୟାଳୟ ନିକଟରେ ୪ଆର୍ ୨/୧ ଏବଂ ୪ଆର୍ ୨/୨ କ୍ବାର୍ଟର୍ସ ଆବଣ୍ଟନ ହୋଇଛି।

ବିଜେପି ବି ସାଧାରଣ ପ୍ରଶାସନ ବିଭାଗରେ ଅର୍ଥ ଜମା କରି ଜମି କିଣି ନେଇଛି। ପୂର୍ବରୁ ସେମାନଙ୍କୁ ଯେଉଁ କ୍ବାର୍ଟର୍ସ ଆବଣ୍ଟନ ହୋଇଥିଲା ତା’ର ଜମି ଓ ବାକି କ୍ବାର୍ଟର୍ସର ଜମି ସେମାନେ ସ୍ଥାନୀୟ ଅଞ୍ଚଳର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଅର୍ଥ ଦେଇ କିଣିଛନ୍ତି। ଏଠାରେ ବହୁତଳ କୋଠା ନିର୍ମାଣରେ କିଛି ସମସ୍ୟା ନ ଥିବାରୁ ବିଜେପି ପ୍ରାୟ ୧୦ ମହଲା କୋଠା ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

Leave A Reply

Your email address will not be published.