ବିଦ୍ୟାଭାରତୀଙ୍କ ଗିରଫରେ ବାଧକ ସାଜିଛି ମୃତ୍ୟୁକାଳୀନ ଜମାନବନ୍ଦୀ, ଜମାନବନ୍ଦୀ ସକ୍ଷମ ନେଇ ଉଠୁଛି ପ୍ରଶ୍ନ?
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ସପ୍ତାହ ବିତିଲାଣି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାତ୍ର ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ କହାମୁ ଗିରଫ କରିନି ପୁଲିସ।
ଅନ୍ୟପଟେ ଏହି ମାମଲାରେ ଗିରଫ ହୋଇପାରିବେନି ପତ୍ନୀ ବିଦ୍ୟାଭାରତୀ। ଏଥିପାଇଁ ଆଇନଗତ ପ୍ରତିବନ୍ଧକ ସାଜିଛି ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ। ଗତ ୧୨ ତାରିଖରେ ସୌମ୍ୟ ପୋଡ଼ି ହେବା ପରେ ପାରଳାଖେମୁଣ୍ଡି ହସ୍ପିଟାଲରେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହାକୁ ଏକ ଦୁର୍ଘଟଣା ବୋଲି ନିଜେ କହିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲା। ଏହାପରେ ୧୩ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା।
ସୌମ୍ୟଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ୩ ଜଣଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନ ଚିଟ୍ ପ୍ରଦାନ କରିସାରିଛି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ତାଙ୍କ ଗାଁରେ ଜେରା କରିଛି। ତେବେ ବିଦ୍ୟାଭାରତୀଙ୍କୁ ଗିରଫ କରି ଜେରା କରିବା ପାଇଁ ସୌମ୍ୟଙ୍କ ଓକିଲ ବାରମ୍ବାର ଦାବି କରି ଆସୁଛନ୍ତି। ମାତ୍ର ବିଦ୍ୟାଭାରତୀଙ୍କୁ ପୋଲିସ ଗିରଫ କରିବ ନାହିଁ। ଏଥିସହ ଆଇନଗତ ପ୍ରତିବନ୍ଧକ ବାବଦରେ ପୁଲିସ ତର୍ଜମା କରୁଛି।
ଅନ୍ୟପଟେ ବିଦ୍ୟାଭାରତୀଙ୍କୁ ଗିରଫ ନକଲେ ହାଇକୋର୍ଟଙ୍କ ଆଶ୍ରୟ ନିଆଯିବ ବୋଲି ସୌମ୍ୟଙ୍କ ପରିବାରର ଓକିଲ କହିଛନ୍ତି। ଗତକାଲି ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ସୌମ୍ୟ ୯୫ ପ୍ରତିଶତ ପୋଡ଼ିଯାଇଥିଲେ। ତାଙ୍କ ଦେହରୁ କିରୋସିନ ଗନ୍ଧ ଆସୁଥିଲା। ବ୍ୟବଚ୍ଛେଦର ୬ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହି ରିପୋର୍ଟ ଆସିବା ପରେ ପ୍ରଶ୍ନ ଉଠୁଛି ଯେ ୯୫ ପ୍ରତିଶତ ପୋଡ଼ିଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ପୁଲିସ କିଭଳି ରେକର୍ଡ କରିବାରେ ସକ୍ଷମ ହେଲା ?
ସୌମ୍ୟ ପାରଳାଖେମୁଣ୍ଡି ହସପିଟାଲରେ ବିଭିନ୍ନ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରୁ ସ୍ପଷ୍ଟ ହେଉଛି ଯେ, ସୌମ୍ୟଙ୍କ ପାଟି ସମ୍ପୂର୍ଣ୍ଣ ଶକ୍ତ ହୋଇସାରିଥିଲା। ତେଣୁ ସେ ଉଚ୍ଚାରଣ କରିବା ସମ୍ଭବ ନୁହେଁ। ଏଥି ସହିତ ସୌମ୍ୟଙ୍କର ସଂଜ୍ଞା ମଧ୍ୟ ନଥିଲା। ତେଣୁ ପୋଲିସ କିପରି ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କଲା ତାହା ଏବେ ବଡ଼ ପ୍ରଶ୍ନବାଚୀ। ସୌମ୍ୟଙ୍କ ମୃତ୍ୟୁ ମାମଲାରେ ମୃତ୍ୟୁକାଳୀନ ଜମାନବନ୍ଦୀ ହିଁ ମୁଖ୍ୟ ବାଧକ ସାଜିଛି ବୋଲି କୁହାଯାଉଛି।