Odisha Link
Bridging the Missing Links in Odisha

ରାଜ୍ୟରେ ଦେଢ଼ବର୍ଷ ମଧ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ୍

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ। ଏହି ଅବସରରେ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩୦ଟି ଜିଲ୍ଲାରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ସମେତ ମୋଟ ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଥିବା ଜଣାପଡ଼ିଛି।

ଆଜିର ବୈଠକରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ଇନଡୋର ଷ୍ଟାଡ଼ିୟମକୁ କ୍ରୀଡ଼ା, ବିପର୍ଯ୍ୟୟ ଆଶ୍ରୟସ୍ଥଳ ଓ ଚିକିତ୍ସାଳୟ ଉପଯୋଗୀ କରାଯିବ। ଏଥିପାଇଁ ୬୯୩.୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ୧୮ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବ। ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଟ ପଦଷକ୍ଷପ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବିକ, ଯେଉଁ ଜିଲ୍ଲାରେ ଏଭଳି ଇନଡୋର ଷ୍ଟାଡ଼ିୟମ ନାହିଁ ସେଠାରେ ଏହା ନିର୍ମାଣ କରାଯିବ। ଏହି ଷ୍ଟାଡ଼ିୟମଗୁଡ଼ିକର କୋଠା ନିର୍ମାଣ ଏଭଳି ହେବ , ଯାହାକି ଘଣ୍ଟାପ୍ରତି ୨୦୦କିମି ବେଗରେ ପବନକୁ ସହ୍ୟ କରିପାରୁଥିବ। ଏହାକୁ ମହାବାତ୍ୟା ଓ ବନ୍ୟା ଆଦି ସମୟରେ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ। ମହାମାରୀ ସମୟରେ ଏନଏସି ଅଂଚଳରେ ଥିବା ଷ୍ଟାଡ଼ିୟମଗୁଡ଼ିକରେ ୫୦ ବେଡ୍ ବିଶିଷ୍ଟ ମେଡିକାଲ ଓ ପୌରାଂଚଳରେ ୧୦୦ଗୋଟି ବେଡ୍ ବିଶିଷ୍ଟ ମେଡିକାଲ ଭାବେ ବିକଶିତ କରିବାର ଭିତ୍ତିଭୂମି ମଧ୍ୟ ରହିବ। ଏସବୁ ବ୍ୟତୀତ ତାଲିମ କାର୍ଯ୍ୟକ୍ରମ, ସଭା, ପରୀକ୍ଷା କେନ୍ଦ୍ର ଆଦି କାର୍ଯ୍ୟ ପାଇଁ ମଧ୍ୟ ଏହି ଷ୍ଟାଡ଼ିୟମ ନିର୍ମାଣ ଅତ୍ୟନ୍ତ ଉପଯୋଗୀ ହୋଇପାରିବ ତଥା ଏହା ଦ୍ୱାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଅଧିକ ସୁଦୃଢ଼ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.