Odisha Link
Bridging the Missing Links in Odisha

ବିଶୃଙ୍ଖଳିତ ଆଚରଣ ପାଇଁ ବିନେଶ ଫୋଗାଟଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଭାରତୀୟ ରେସଲିଂ ମହାସଂଘ ପକ୍ଷରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି। ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ କ୍ରୀଡ଼ାଗ୍ରାମରେ ଅନ୍ୟ ଆଥଲେଟମାନଙ୍କ ସହ ତାଲିମ ନେବାକୁ ମନା କରିଦେଇଥିଲେ। ଏହା ସହ ସେ ଭାରତୀୟ ଦଳର ଅଫିସିଆଲ କିଟ୍ ପ୍ରାୟୋଜକଙ୍କ ଲୋଗୋ ବ୍ୟବହାର କରିବାକୁ ମଧ୍ୟ ମନା କରିଦେଇଥିଲେ।

ଏହି ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତିନୋଟି ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ପ୍ରଥମତଃ କୋଚ୍‌ ବୋଲେର ଏକୋସଙ୍କ ସହ ହଙ୍ଗେରୀରେ ଟ୍ରେନିଂ ନେଉଥିବା ବିନେଶ ସିଧା ଟୋକିଓରେ ପହଞ୍ଚିଥିଲେ। ସେଠାରେ ସେ କ୍ରୀଡ଼ାଗ୍ରାମରେ ରହିବା ତଥା ଭାରତୀୟ ଟିମ୍‌ ସହ ଟ୍ରେନିଂ ନେବା ପାଇଁ ମନା କରି ଦେଇଥିଲେ।

୨ୟରେ ସେ ଭାରତୀୟ ଦଳର ପ୍ରାୟୋଜକ ଶିବ ନରେଶଙ୍କ ପୋଷାକ ପିନ୍ଧିବା ପାଇଁ ମନା କରିଥିଲେ। ସେ ନିଜ ପ୍ରତିଯୋଗିତା ସମୟରେ ନାଇକିଙ୍କ ପୋଷାକ ପିନ୍ଧିଥିଲେ। ଆସନ୍ତା ୧୬ ତାରିଖ ସୁଦ୍ଧା ନୋଟିସର ଜବାବ ଦେବାକୁ କୁହାଯାଇଛି। ମହାସଂଘ ଯଦି ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନହୁଏ ତେବେ ତାଙ୍କୁ ଦୀର୍ଘଦିନ ଧରି ବାସନ୍ଦ କରାଯାଇପାରେ। ସୂଚନାଥାଉ କି, ଅଲିମ୍ପିକ୍ସରେ କ୍ୱାର୍ଟର ଫାଇନାଲରେ ବିନେଶ ହାରିଯାଇଥିଲେ।

ବିଶୃଙ୍ଖଳିତ ଆଚରଣ ପାଇଁ ବିନେଶଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି। କୁସ୍ତି ସହ ଜଡ଼ିତ ସମସ୍ତ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ଲଗାଯାଇଛି। ସେ ନୋଟିସର ଜବାବ ନ ଦେବା ପର୍ଯ୍ୟନ୍ତ ଜାତୀୟ କିମ୍ବା ଘରୋଇ ପ୍ରତିଯୋଗିତାରେ ଖେଳି ପାରିବେ ନାହିଁ।  ଏହି ମାମଲାରେ ଡବ୍ଲ୍ୟୁଏଫ ଆଇ ଆଇଓଏକୁ କଡ଼ା ସମାଲୋଚନା କରି ନିଜ ଖେଳାଳିଙ୍କୁ କାହିଁକି ଶୃଙ୍ଖଳିତ କରି ପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଅଧିକାରୀଙ୍କ କହିବା ଅନୁଯାୟୀ, ବିନେଶଙ୍କୁ ଯେତେବେଳେ ତାଙ୍କର ସାଥୀ ସୋନମ, ଅଂଶୁ ମଲିକ, ସୀମା ବିଲ୍ଲାଙ୍କ ନିକଟରେ ବେଡ ଦିଆଗଲା ସେତେବେଳେ ସେ ହଙ୍ଗାମା କରିଦେଲେ। ସେ କହିଥିଲେ ଏମାନେ ଭାରତରୁ ଆସିଛନ୍ତି ତେଣୁ ସେମାନଙ୍କ ପାଖରେ ରହିଲେ ସେ କରୋନା ସଂକ୍ରମିତ ହୋଇ ପାରନ୍ତି।

ଅଧିକାରୀ ଆହୁରି କହିଥିଲେ, ସେ କୌଣସି ଭାରତୀୟ ପହିଲମାନଙ୍କ ସହ ଟ୍ରେନିଂ ନେଇ ନ ଥିଲେ। ତାଙ୍କୁ ଦେଖିଲେ ଲାଗୁଥିଲା ସେ ହଙ୍ଗେରୀ ଟିମ୍‌ ସହ ଆସିଥିଲେ ଏବଂ ଭାରତୀୟ ଦଳ ତାଙ୍କର କୌଣସି ପରିଚୟ ନାହିଁ। ଥରେ ତାଙ୍କର ଟ୍ରେନିଂ ସମୟ ଏବଂ ଭାରତୀୟଙ୍କ ମହିଳା କୁସ୍ତି ଯୋଦ୍ଧାଙ୍କ ଟ୍ରେନିଂ ସମୟ ଏକ ସମୟରେ ଥିଲା। ସେ ଭାରତୀୟ ଖେଳାଳିଙ୍କ ସହ ଗୋଟିଏ ସ୍ଥାନରେ ଅଭ୍ୟାସ କରିପାରିବେ ନାହିଁ ବୋଲି କହିଥିଲେ। ଏପରି ବ୍ୟବହାର ଗ୍ରହଣୀୟ ନୁହେଁ। ବରିଷ୍ଠ ପହିଲମାନଙ୍କଠାରୁ ଏପରି ବ୍ୟବହାର ଆଶା କରାଯାଏ ନାହିଁ ବୋଲି ଅଧିକାରୀ ଜଣକ କହିଥିଲେ।

Leave A Reply

Your email address will not be published.