Odisha Link
Bridging the Missing Links in Odisha

ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋକସଭାକୁ ମୁଲତବୀ ଘୋଷଣା

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ମୌସୁମୀ ଅଧିବେଶନ ଜୁଲାଇ ୧୯ରେ ଆରମ୍ଭ ହୋଇଥିଲା ଏହା ଅଗଷ୍ଟ ୧୩ ଯାଏ ଚାଲିବାର ଥିଲା। କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଠିକ୍‌ ଭାବେ ଚାଲି ପାରୁନଥିଲା। ଆଜି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରି ନଥିଲା। ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଧାର୍ଯ୍ୟ ସମୟର ୨ ଦିନ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ଲୋକସଭାର କାର୍ଯ୍ୟ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ହିଁ ବିରୋଧୀ ପେଗାସସ୍‌ ଗୁଇନ୍ଦାଗିରି ରିପୋର୍ଟ କଥା ଉଠାଇ ସରକାରଙ୍କୁ ଘେରିଥିଲେ। ଏଥିସହ ଚାଷୀଙ୍କ ସମସ୍ୟା ଓ ଦରବୃଦ୍ଧି କଥା ମଧ୍ୟ ଉଠିଥିଲା। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା।

ଚଳିତ ମୌସୁମୀ ଅଧିବେଶନ ଗୃହ ଆରମ୍ଭରୁ ହିଁ ବିରୋଧୀ ସାଂସଦମାନେ ପେଗାସସ୍‌ ପ୍ରସଙ୍ଗ ଉଠାଇ ବିତର୍କ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିଲେ। ଆଜି ବାଚସ୍ପତି ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପୂର୍ବରୁ ନିକଟରେ ପରଲୋକ ଘଟିଥିବା ଗୃହର ୪ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା।

ମୌସୁମୀ ଅଧିବେଶନରେ ଏପରି ସ୍ଥିତି ଲାଗି ରହିଥିବାରୁ ବାଚସ୍ପତି ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆଶା ଅନୁସାରେ ଚଳିତ ମୌସୁମୀ ଅଧିବେଶନ ଆଦୌ ଚାଲିପାରିନାହିଁ। ଏଥିପାଇଁ ମୁଁ ମର୍ମାହତ। ମୁଁ ସବୁବେଳେ ଅଧିକରୁ ଅଧିକ କାର୍ଯ୍ୟ ଗୃହରେ କରାଯାଉ ବୋଲି ଚେଷ୍ଟା କରିଥିଲି। ଏଥିସହ ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା ସପକ୍ଷରେ ଥିଲି। ତଥାପି ଗୃହ କାର୍ଯ୍ୟ ଆଶା ଅନୁସାରେ ହୋଇପାରି ନାହିଁ।

Leave A Reply

Your email address will not be published.