Odisha Link
Bridging the Missing Links in Odisha

ଆଫଗାନିସ୍ତାନ ହିନ୍ଦୁ-ଶିଖ୍‌ ନାଗରିକଙ୍କୁ ଶରଣ ଦେବ ଭାରତ: ମୋଦି

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଛି।। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ଏହାପରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କରେ ବାତାବରଣ ରହିଛି। ଆଫଗାନିସ୍ତାନରେ ରହୁଥିବା ସଂଖ୍ୟା ଲଘୁ ଏବେ ଭାରତରେ ଆଶ୍ରୟ ନେବା ପାଇଁ ଆବେଦନ କରୁଛନ୍ତି। ତେଣୁ ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ଆଫଗାନିସ୍ତାନର ସଂଖ୍ୟା ଲଘୁଙ୍କୁ ଭାରତ ଆଶ୍ରୟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକମାନଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୈଠକରେ ଉପସ୍ଥିତ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଛନ୍ତି। ସୁରକ୍ଷା କ୍ୟାବିନେଟ କମିଟିର ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଆଫଗାନିସ୍ତାନର ଭାଇ ଓ ଭଉଣୀମାନଙ୍କୁ ସହାୟତା କରିବ।

ଏହି ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ଏନଏସଏ ମୁଖ୍ୟ ଅଜିତ ଡୋଭାଲ, କ୍ୟାବିନେଟ ସଚିବ ରାଜୀବ ଗୈବା, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଆଫଗାନିସ୍ତାନରେ ଭାରତର ରାଷ୍ଟ୍ରଦୂତ ରୁଦ୍ରେଣ୍ଡ୍ରା ଟଣ୍ଡନ ପ୍ରମୁଖ ଉପସ୍ଥିତ ଥିଲେ।

ଆଫଗାନିସ୍ତାନର ଦେଖାଦେଇଥିବା ସ୍ଥିତି ଏବଂ ରାଜନୀତିକ ପରିସ୍ଥିତି ବିଷୟରେ ସିସିଏସକୁ ଏହି ଅବସରରେ ବିସ୍ତୃତ ଭାବରେ ଅବଗତ କରାଯାଇଥିବା ସୂଚନା ରହିଛି। ନିକଟରେ ଭାରତୀୟ ଦୂତାବାସର ଅଧିକାରୀ ତଥା ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସମେତ ଭାରତୀୟ ସମ୍ପ୍ରଦାୟର କିଛି ସଦସ୍ୟଙ୍କ ସ୍ଥାନାନ୍ତର କରାଯାଇଛି ବୋଲି ଏହି ବୈଠକରେ ଅବଗତ କରାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଜରୁରୀ କାଳୀନ ଇ-ଭିସାର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରେ ରହୁଥିବା ଲୋକମାନେ ଭାରତ ଆସିବାକୁ ଆବେଦନ କରିପାରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବସାଇଟ୍‌ରେ ଏହି ବ୍ୟବସ୍ଥା କରିଛି।

Leave A Reply

Your email address will not be published.