Odisha Link
Bridging the Missing Links in Odisha

ଆସୁଛି ଲଘୁଚାପ, ପାଣିପାଗ ବିଭାଗର ଆକଳନ

ଭୁବନେଶ୍ବର: ରାଜ୍ୟରେ ଚଳିତବର୍ଷ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି। ଯାହାଫଳରେ ରାଜ୍ୟର କିଛି ସ୍ଥାନରେ ମରୁଡ଼ି ସ୍ଥିତି ସାମ୍ନାକୁ ଆସିଛି। ଯାହକୁ ନେଇ ବିଧାନସଭାରେ ମଧ୍ୟ ତମ୍ବି ତୋଫାନ୍‌ ହୋଇ ସାରିଛି। ଏସବୁ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ଆଣିଛି ସେପ୍ଟେମ୍ବର।

ଆଗାମୀ ୫ ଦିନ ବ୍ୟବଧାନରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଅଗଷ୍ଟର ନିଅଣ୍ଟିଆ ବର୍ଷା କିଛି ମାତ୍ରାରେ ଭରଣା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୬ ଓ ୧୧ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ‌ହେବ। ଏହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ। କିନ୍ତୁ ଏହି ବର୍ଷା ରାଜ୍ୟରେ ଚାଷ କାର୍ଯ୍ୟ ପାଇଁ ବିଶେଷ ଉପଯୋଗୀ ହେବ ନାହିଁ ବୋଲି ଆଇଏମ୍‌ଡି କହିଛି।

ଆଇଏମ୍‌ଡିର ସୂଚନା ଅନୁଯାୟୀ, ମୌସୁମୀଜନିତ ନିମ୍ନଚାପରେଖା ଓଡ଼ିଶାର ଗୋପାଳପୁର ମଧ୍ୟ ଦେଇ ପୂର୍ବ ଦିଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ପାଣିପାଗର ଏହି ନିୟାମକ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଅନ୍ୟ କେତେକ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଜି ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ୩ ତାରିଖଠାରୁ ୬ ତାରିଖ ଯାଏ ବର୍ଷାର ପରିମାଣ ଧୀରେଧୀ‌ରେ ବଢ଼ିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.