Odisha Link
Bridging the Missing Links in Odisha

ରାଜ୍ୟରେ ଖାଲି ପଡ଼ିଛି ୯୦ ହଜାର ଶିକ୍ଷକ ପଦବି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫୋକସରେ ଶିକ୍ଷା। ସେଥିପାଇଁ ଗୋଟିଏ ପରେ ଗୋଟିଏ ସ୍କୁଲକୁ ସ୍ମାର୍ଟରୂପ ଦିଆଯାଉଛି। ଯାହା ରାଜ୍ୟର ଶିକ୍ଷାକ୍ଷେତ୍ର ପାଇଁ ବହୁତ ଭଲ। ହେଲେ ପିଲାଙ୍କୁ ପଢ଼ାଇବାକୁ ସ୍କୁଲରେ ନାହାନ୍ତି ଶିକ୍ଷକ। ରାଜ୍ୟରେ ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବି। ଅନ୍ୟପଟେ ମାଳ ମାଳ ଆଶାୟୀ ଚାକିରି ପାଇଁ ଚାହିଁ ରହିଛନ୍ତି। ୨୦୧୬ରୁ ବେକାାର ହୋଇ ଅଛନ୍ତି ଲକ୍ଷେରୁ ଅଧିକ ଆଶାୟୀ।

ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତି ୩୦ ପିଲାଙ୍କୁ ଜଣେ ଶିକ୍ଷକ ରହିବା କଥା । ସେହିପରି ପ୍ରତି ଶ୍ରେଣୀରେ ବି ଜଣେ ଶ୍ରେଣୀ ଶିକ୍ଷକ ରହିବେ। ସେହି ହିସାବରେ ରାଜ୍ୟର ୬୩ ଲକ୍ଷ ପିଲାଙ୍କ ପାଇଁ ୨ ଲକ୍ଷ ୧୦ ହଜାର ଶିକ୍ଷକ ଆବଶ୍ୟକ । ଏହି ଶିକ୍ଷକଙ୍କ ସହ ଶ୍ରେଣୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ମିଶାଇଲେ ଏ ସଂଖ୍ୟା ୨ ଲକ୍ଷ ୭୦ ହଜାର ପାଖାପାଖି ହେବ। କିନ୍ତୁ ରାଜ୍ୟରେ ଅଛନ୍ତି ମାତ୍ର ୧ ଲକ୍ଷ ୮୦ ହଜାର ଶିକ୍ଷକ। ଆହୁରି ୮୦ରୁ ୯୦ ହଜାର ଆବଶ୍ୟକ ବୋଲି ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ ୨୦୧୬ ମସିହାରୁ ଓଡ଼ିଶାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇନାହିଁ। ପ୍ରାୟ ୭୦ ହଜାରରୁ ଅଧିକ ସିଟି, ବିଏଡ୍‌ ଛାତ୍ରଛାତ୍ରୀ ଚାକିରି ପାଇନାହାନ୍ତି। ପାଖାପାଖି ୨୦ ହଜାର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଆଶାୟୀ ଥିବାବେଳେ ୧୦ ହଜାରରୁ ଅଧିକ ପିଇଟି ଆଶାୟୀ ଅଛନ୍ତି। ଏମିତି ପାଖାପାଖି ଲକ୍ଷେ ଆଶାୟୀ ଚାକିରି ଅପେକ୍ଷାରେ ଅଛନ୍ତି । ଓଟିଇଟି ପରୀକ୍ଷାରେ ସିଟି ଓ ବିଏଡ୍‌ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ଘରେ ବସିଛନ୍ତି। ହେଲେ ନିଯୁକ୍ତି ଶୂନ। ଏବେ ହିନ୍ଦୀ, ସଂସ୍କୃତ ଓ ପିଇଟିକୁ ମିଶାଇ ୪,୬୧୯ ଏବଂ ୬,୭୨୦ ଟିଜି ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.