Odisha Link
Bridging the Missing Links in Odisha

ପୁଣି ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ

କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ପୁଣି ଥରେ ଜେରା କରିବ ପ୍ରବର୍ତ୍ତନ ନିର୍ଦେଶାଳୟ। ଅଭିଷେକଙ୍କୁ ପୁଣି ପଚରାଉଚରା କରିବା ପାଇଁ ଇଡି ନୋଟିସ୍‌ ଜାରି କରିଛି। ବହୁ ଚର୍ଚ୍ଚିତ କୋଇଲା ଘୋଟାଲା ସହ ଜଡିତ ଘଟଣାକୁ ନେଇ ଅଭିଷେକକୁ ଜେରା କରିବ ଇଡି। ଏହା ପୂର୍ବରୁ ମଧ୍ୟ ଅଭିଷେକଙ୍କୁ ଇଡି ଜେରା କରିଛି।

ସେପ୍ଟେମ୍ବର ୨୦ କିମ୍ବା ୨୧ ତାରିଖରେ ଅଭିଷେକ ବାନାର୍ଜୀଙ୍କୁ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦେଶାଳୟ। ପଞ୍ଚିମବଙ୍ଗରେ ହୋଇଥିବା ବ୍ୟାପକ କୋଇଲା ଘୋଟାଲାକୁ ନେଇ ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା। ଅନେକ ରାଜନେତାଙ୍କୁ ଜେରା କରିଥିଲା ଇଡି। ଏବେ ପୁଣି ଥରେ ମୁଅଭିଷେକ ବାନାର୍ଜୀଙ୍କୁ ଇଡି ପଚରାଉଚରା କରିବ।

ପୂର୍ବରୁ ଅଭିଷେକଙ୍କୁ କୋଇଲା ଘୋଟାଲା ମାମଲା​‌ରେ ୮ ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ଇଡି କାର୍ଯ୍ୟାଳୟରୁ ବାହାରକୁ ଆସିବା ପରେ ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରିଥିଲେ ଅଭିଷେକ। ସେ କହିଥିଲେ, କେନ୍ଦ୍ରର ମୋଦି ସରକାରଙ୍କ ବିରୁଦ୍ଧରେ ଲଢେଇ ଜୋରଦାର ହେବ। କେନ୍ଦ୍ରର ମୁକାବିଲା କରାଯିବ। ସ୍ବଚ୍ଛ ଶାସନ ବିପକ୍ଷରେ ହୋଇଥିବା ଷଡଯନ୍ତ୍ରୀର ଖୁଲାସା ହେବ।

କୋଇଲା ଘୋଟାଲା ମାମଲାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କରିସାରିଛି ପ୍ରବର୍ତ୍ତନ ନିର୍ଦେଶାଳୟ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ତୃଣମୂଳ କଂଗ୍ରେସ ନେତା ବିନୟ ମିଶ୍ରଙ୍କ ଭାଇ ବିକାଶ ମିଶ୍ର ମଧ୍ୟ ରହିଛନ୍ତି। ବିନୟ ମିଶ୍ର ଏବେ ଦେଶ ବାହାରେ ରହୁଛନ୍ତି ଏବଂ ନାଗରିକତାକୁ ମଧ୍ୟ ତ୍ୟାଗ କରିଦେଇଛନ୍ତି। ଏହା ବାଦ୍‌ ପଶ୍ଚିମବଙ୍ଗର ବାଙ୍କୁଡା ଥାନାର ପୂର୍ବତନ ପୋଲିସ ଅଧିକାରୀ ଅଶୋକ କୁମାର ମିଶ୍ରଙ୍କୁ ମଧ୍ୟ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ଘଟଣାରେ ପ୍ରାୟ ୧୩୫୨ କୋଟି ଟଙ୍କାର ବଡ ଘୋଟାଲା ହୋଇଥିବା ଇଡି କହିଥିବା ବେଳେ ଏଥିରେ ସଂପୃକ୍ତ ବଡ ବଡ ନେତା ୭୩୦ କୋଟି ଟଙ୍କାର ଘୋଟାଲା କରିଛନ୍ତି। ଯାହାର ଖୋଳତାଡ କରୁଛି ଇଡି।

Leave A Reply

Your email address will not be published.