Odisha Link
Bridging the Missing Links in Odisha

ପାର୍ବଣ କଟକଣାର ପୁନର୍ବିଚାର କରନ୍ତୁ ମୁଖ୍ୟମନ୍ତ୍ରୀ

କଟକ: ଦୁର୍ଗାପୂଜା ମୂର୍ତ୍ତିର ଉଚ୍ଚତା ସହ କୋଭିଡ୍ ସଂକ୍ରମଣର ସଂପର୍କ ନେଇ ତେଜୁଛି ଅସନ୍ତୋଷ। ଗତକାଲି ସରକାରଙ୍କ ପୂର୍ବ ଗାଇଡଲାଇନ୍‌ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଘୋଷଣା କରିଥିଲେ ମୁଖ୍ୟ ରିଲିଫ୍ କମିଶନର। କହିଥିଲେ- ପରଦା ହଟିବ ନାହିଁ, କି ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ନାହିଁ। ହେଲେ ମୃଣ୍ମୟୀ ପ୍ରତିମାର ଉଚ୍ଚତା ଅଧିକ ହେଲେ ସଂକ୍ରମଣ କିଭଳି ବଢ଼ିବ ତାକୁ ନେଇ ପ୍ରଶ୍ନ ଉଠିଛି।

ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଉଠିଛି। ଓସିଏ କନ୍ଫରେନ୍ସ ହଲ୍‌ରେ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ରାଜନେତାଙ୍କ ଉପସ୍ଥିତିରେ ବସିଥିବା ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍‌ଦାର ହୋହଲ୍ଲା ବି ହୋଇଛି। ୧୬ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ଆଉ ଥରେ ନିବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୂର୍ତ୍ତି ଉଚ୍ଚତା ଓ ପରଦା କଟକଣା ହଟାଇବାକୁ ଆଉଥରେ ନିବେଦନ କରାଯିବ।

ଅପରପକ୍ଷେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏଥର ବି ହାଇକୋର୍ଟ ଯିବାକୁ ସଜବାଜ ହେଉଛି। ବାଲୁବଜାର ପୂଜା କମିଟି କମିଟିର ଯୁକ୍ତି ୧୯୧୪ ମସିହାରୁ ମାଙ୍କ ୮ ଫୁଟର ମୃଣ୍ମୟ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି ଯାହାକୁ ପରମ୍ପରା ଦୃଷ୍ଟିରୁ ଏବେ ବଦଳାଇବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ବିଜେପି ଆସନ୍ତା ୧୩ ତାରିଖ ଦିନ ଦେଇଥିବା କଟକ ସହର ବନ୍ଦ ଡାକରାକୁ ଜୋରଦାର କରିବାକୁ ଯୋଜନା କରୁଛି।

 

Leave A Reply

Your email address will not be published.