Odisha Link
Bridging the Missing Links in Odisha

ଗୋଆବାସୀଙ୍କୁ କେଜ୍ରିୱାଲଙ୍କ ୭ ପ୍ରତିଶ୍ରୁତି: ମାଗଣା ବିଜୁଳି ସହ ବେକାରୀଙ୍କୁ ଭତ୍ତା

ଗୋଆ: ଆଗାମୀ ନିର୍ବାଚନ ପାଇଁ ଗୋଆବାସୀଙ୍କୁ କେଜ୍ରିୱାଲଙ୍କ ନୂଆ ପ୍ରତିଶ୍ରୁତି। ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ କେଜ୍ରିୱାଲଙ୍କ ଆପ୍‌ ଅଣ୍ଟା ଭିଡ଼ିଛି। ଆଜି ଏଥିପାଇଁ କେଜ୍ରିୱାଲ ଗୋଆ ଗସ୍ତ କରି ରାଜ୍ୟବାସୀଙ୍କୁ ୭ଟି ପ୍ରତିଶ୍ରୁତି ଦେଇଛନ୍ତି।

ପଞ୍ଜାବ ଓ ଉତ୍ତରାଖଣ୍ଡ ଭଳି ଗୋଆରେ ଆପ୍‌ ସରକାର ଗଠନ କଲେ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ଲୋକଙ୍କୁ ଦିଆଯିବ। ସେହିପରି ଚାକିରି ପାଇ ନଥିବା ଲୋକଙ୍କୁ ମାସିକ ୩ରୁ ୫ ହଜାର ଟଙ୍କା ଲେଖାଏ ଭତ୍ତା ଓ ଘରୋଇ ସେକ୍ଟରରେ ଗୋଆବାସୀଙ୍କ ପାଇଁ ୮୦% ପଦ ସଂରକ୍ଷିତ ହୋଇ ରହିବ ବୋଲି କେଜ୍ରିୱାଲ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଲୋକଙ୍କୁ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ସହ ଚାଷୀଙ୍କ ବିଲ୍‌ ସଂପୂର୍ଣ୍ଣ ଭାବେ ଆପ୍‌ ସରକାର କ୍ଷମତାକୁ ଆସିଲେ ପ୍ରଦାନ କରିବ। ସେହିପରି ଲୋକଙ୍କୁ ୨୪ ଘଣ୍ଟା ବିଜୁଳି ମିଳିବ ବୋଲି ମଧ୍ୟ କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ ଲୋକଙ୍କୁ ଆକୃଷ୍ଟ କରିବାକୁ ଯାଇ କହିଛନ୍ତି, ଯଦି ଆପ୍‌ କ୍ଷମତା ଆସିବ, ତା’ହେଲେ ଦୁର୍ନୀତି ବିରୋଧରେ ଲଢ଼ିବ। ଏଥିସହ ପ୍ରତି ପରିବାରର ଜଣଙ୍କୁ ଚାକିରି ମିଳିବ। ଗୋଆ ଗୋଟିଏ ସୁନ୍ଦର ରାଜ୍ୟ। ଏଠାକାର ଲୋକ ବହୁତ ଭଲ। ଗୋଆକୁ ଭଗବାନ ସବୁ କିଛି ଦେଇଛନ୍ତି। କିନ୍ତୁ ରାଜନେତା ଓ ରାଜନୀତିକ ଦଳଗୁଡ଼ିକ ସବୁ କିଛି ଲୁଟି ନେଉଛନ୍ତି। ଆମେ ଏହାକୁ ରୋକିବାକୁ ବିସ୍ତୃତ ଯୋଜନା କରିଛୁ। ଗୋଆ ସାଧାରଣତଃ ପର୍ଯ୍ୟଟନ ଉପରେ ନିର୍ଭର କରେ। କରୋନା ପାଇଁ ରାଜ୍ୟକୁ ଆର୍ଥିକ କ୍ଷତି ହୋଇଛି। ଅନେକ ଲୋକ ଚାକିରି ହରାଇଛନ୍ତି। ତେଣୁ ଆପ୍‌ ସରକାର ଆସିଲେ ସମସ୍ତ ବେକାରଙ୍କୁ ୩ରୁ ୫ ହଜାର ଟଙ୍କା ଲେଖାଏ ଭତ୍ତା ଦିଆଯିବ ବୋଲି ସେ କହିଛନ୍ତି।

କେଜ୍ରିୱାଲ ବିଜେପି ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଟାର୍ଗେଟ କରି କହିଛନ୍ତି, “ମୁଁ ଶୁଣିବାକୁ ପାଇଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗୋଆରେ ମାଗଣା ପାଣିର ବ୍ୟବସ୍ଥା କରିଛନ୍ତି। ଏହା ଖୁସିର ବିଷୟ କିନ୍ତୁ ଆମେ ୪ ବର୍ଷ ତଳୁ ଏହି କାମ ଦିଲ୍ଲୀରେ କରି ସାରିଛୁ।

ମୁଁ ଶୁଣିଛି ପ୍ରମୋଦ ସାୱନ୍ତ କୁଆଡ଼େ ଲୋକଙ୍କ ଘରେ ସବୁ କିଛି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଆମେ ଏହାକୁ ୩ ବର୍ଷ ତଳୁ ଦିଲ୍ଲୀରେ କାର୍ଯ୍ୟକାରୀ କରି ସାରିଛୁ। ସାୱନ୍ତ ଦିଲ୍ଲୀ ମଡେଲକୁ ଗୋଆରେ କପି କରୁଛନ୍ତି। ଯଦି ଅର୍ଜିନାଲ ଏଠାରେ ରହିଛି, ତା’ହେଲେ ଡୁପ୍ଲିକେଟ୍‌ର ଆବଶ୍ୟକ କ’ଣ?”

Leave A Reply

Your email address will not be published.