ପଞ୍ଚାୟତ ନିର୍ବାଚନ: ଘର ସଜାଡ଼ୁଛି ବିଜେପି, ନେଲା ଏହି ପଦକ୍ଷେପ

ଓଏଲ୍ ବ୍ୟୁରୋ: ରାଜ୍ୟରେ ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ। ଆଉ ଗାଁ ଗାଁରେ ଆରମ୍ଭ ହୋଇ ସାରିଲାଣି ଅଙ୍କକଷା। କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ହେବାକୁ ଯାଉଛି ସେମି ମୁକାବିଲା। ଯାହାକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ପାଗଭିଡ଼ା ଆରମ୍ଭ କରି ସାରିଲେଣି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଭଲ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡିଛନ୍ତି। ତେଣୁ ସବୁ ଦଳ ପ୍ରାର୍ଥୀମାନଙ୍କୁ ନେଇ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛନ୍ତି।
ଏସବୁ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ। ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ, ୬୭୯୩ ଟି ପଞ୍ଚାୟତ ପ୍ରତିନିଧି ଓ ୯୧,୯୧୬ଟି ଓ୍ବାର୍ଡ ମେମ୍ବର ପାଇଁ ଆରମ୍ଭ ହେଲାଣି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି ଘର ସଜାଡ଼ିବା ଆରମ୍ଭ କରିସାରିଛି।
୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁ ସଫଳତା ପାଇଥିଲା ତାକୁ ବଳବତ୍ତର ରଖିବା ପାଇଁ ଆରମ୍ଭ କରି ସାରିଲାଣି କସରତ। ନିଲମ୍ବିତ କର୍ମୀଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଛି ରାଜ୍ୟ ବିଜେପି। ଯାହାଦ୍ଵାରା ଦଳକୁ ତୃଣମୂଳସ୍ତରରେ ଆହୁରି ମଜବୁତ କରାଯାଇ ପାରିବ। ୨୦୧୭ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚରନରେ ଦଳ ଅନେକ କର୍ମୀଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏବେ ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ନିଲମ୍ବିତ କର୍ମୀଙ୍କ ଉପରୁ ଆଦେଶ ପ୍ରତ୍ୟାହୃତ ହୋଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଏଥର ୮୫୩ ଜିଲ୍ଳା ପରିଷଦ, ୬୭୯୩ ସରପଞ୍ଚ, ୬୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ବାର୍ଡ ସଭ୍ୟ ପଦବୀ ଲାଗି, ୫ ଦିନ ଧରି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ ।