Odisha Link
Bridging the Missing Links in Odisha

ୟୁକ୍ରେନ୍: ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ ଭାରତୀୟ ଛାତ୍ର ମୃତ

ଜଣେ ଛାତ୍ରଙ୍କର ମୃତ୍ୟୁ ପରେ ସେଠାରେ ଏଯାଏଁ ଫସି ରହିଥିବା ଛାତ୍ରଛାତ୍ରୀ ଓ ଅନ୍ୟ ଭାରତୀୟମାନଙ୍କ ପରିବାରରେ ଭାଳେଣି ପଡ଼ିଛି।

ଓଏଲ୍‌ ବ୍ୟୁରୋ: ୟୁକ୍ରେନ୍‌ ସହ ରୁଷ୍‌ର ଯୁଦ୍ଧ ଚାଲିଥିବା ବେଳେ ସେଠାରେ ଏହାର ଶିକାର ହୋଇଛନ୍ତି ଜଣେ ଭାରତୀୟ ଛାତ୍ର। ରୁଷ୍‌ ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍‌ର ଖାରଭିକ୍‌ ସହରରେ ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି।

ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ଥିବା ଖାରଭିକ୍‌ ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ନଗରୀ। ଆଜି ସକାଳେ ରୁଷ୍‌ ସେନା ପକ୍ଷରୁ ଏହି ସହର ଉପରେ ଆକାଶମାର୍ଗରୁ ଘନଘନ ବୋମାବର୍ଷା ହୋଇଥିଲା। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମୃତକଙ୍କ ପରିବାରକୁ ଯୋଗୋଯାଗ କରାଯାଇଛି। ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଏ ନେଇ ଶୋକପ୍ରକାଶ କରିଛନ୍ତି।

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଂଘଲା ଉଭୟ ୟୁକ୍ରେନ୍‌ ଓ ରୁଷ୍‌ର ରାଷ୍ଟ୍ରଦୂତମାନଙ୍କ ସହ କଥାହେବା ସହ ଯୁଦ୍ଧବିରତି କରି ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଦେଶରୁ ବାହାରିବା ପାଇଁ ସୁଯୋଗ ଦେବାକୁ ଦାବି କରିଛନ୍ତି। ଉଭୟ ଦେଶରେ ଅବସ୍ଥାପିତ ଆମର ରାଷ୍ଟ୍ରଦୂତମାନେ ମଧ୍ୟ ସମାନ ପ୍ରଚେଷ୍ଟା କରୁଛନ୍ତି। ୟୁକ୍ରେନ୍‌ର କିଭ୍‌ ସହର ସବୁଠୁ ବେଶି ଯୁଦ୍ଧ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏ ସହର ଆଜି ତୁରନ୍ତ ଛାଡ଼ିବାକୁ ଭାରତୀୟମାନଙ୍କୁ ଉପଦେଶ ଦିଆଯାଇଛି। ପଡ଼ୋଶୀ ଦେଶ ବାଟେ ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କର ଅଭିଯାନ ଜାରିରହିଛି। ଏକାଧିକ ବରିଷ୍ଠ ମନ୍ତ୍ରୀ ସଂପୃକ୍ତ ଦେଶକୁ ଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

ଜଣେ ଛାତ୍ରଙ୍କର ମୃତ୍ୟୁ ପରେ ସେଠାରେ ଏଯାଏଁ ଫସି ରହିଥିବା ଛାତ୍ରଛାତ୍ରୀ ଓ ଅନ୍ୟ ଭାରତୀୟମାନଙ୍କ ପରିବାରରେ ଭାଳେଣି ପଡ଼ିଛି।