Odisha Link
Bridging the Missing Links in Odisha

ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ଅରୁଣ!

ନୟାଗଡ଼ରେ ଅରୁଣ ବିଜୁ ଜନତା ଦଳରେ ଅନ୍ୟ କୌଣସି ନେତାଙ୍କ ଉତ୍ଥାନକୁ ସହ୍ୟ କରିପାରୁନଥିବା ଅଭିଯୋଗ ହୋଇଆସୁଥିବାବେଳେ ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ମଧ୍ୟ ଜିଲ୍ଲା ସୀମା ବାହାରକୁ ଠେଲି କେବଳ ନିଜର ଆତ୍ମପ୍ରଚାର କରି ଜିଲ୍ଲାର ଏକାଙ୍ଗ ଚକ୍ରବର୍ତ୍ତୀ ହେବାକୁ ଚାହୁଛନ୍ତି ବୋଲି ତାଙ୍କ ଦଳୀୟ ନେତା ଆଲୋଚନା କରୁଛନ୍ତି।

ନୟାଗଡ଼: ‘ଏ ସମ୍ପତ୍ତି ଆପଣଙ୍କର, ଆପଣଙ୍କ ପଇସାରେ, ଆପଣଙ୍କ ସେବା ପାଇଁ ଉଦ୍ଦିଷ୍ଟ। ଏହାର ଯତ୍ନ ନିଅନ୍ତୁ।’ ରାଜ୍ୟର ରାସ୍ତାଘାଟ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିବେଦନମୂଳକ ଲେଖା ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଛି। ଲେଖା ତଳେ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ଦସ୍ଥକତ ମଧ୍ୟ ରହିଛି। ଜାତୀୟ ସମ୍ପତିର ସୁରକ୍ଷା ଦାୟିତ୍ବରେ ସାଧାରଣ ଜନତାଙ୍କ ଭାଗିଦାରୀ ଆଶା କରି ଏଭଳି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ନୟାଗଡ଼ରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇଛନ୍ତି ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିକଟରେ ସଂପୃକ୍ତ ସରକାରୀ ସଂସ୍ଥା ପକ୍ଷରୁ ଭିତ୍ତିଫଳକ ତ ଲାଗୁଛି। ଏହା ସହ ଲାଗୁଛି ଆଉ ଏକ ଇସ୍ପାତ୍‌ ଫଳକ। ଇସ୍ପାତ୍‌ ଫଳକରେ ନୀଳ ରଙ୍ଗର ଭିନାଇଲ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଶୈଳୀରେ ଜନତାଙ୍କୁ ନିବେଦନ ରଖିଛନ୍ତି ଅରୁଣ। ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଢଙ୍ଗରେ ନିବେଦନ କରିଛନ୍ତି ଠିକ ସମାନ ଢଙ୍ଗରେ ଅରୁଣ ନିବେଦନ କରିବା ସହ ତଳେ ମଧ୍ୟ ବଡ଼ ହରଫରେ ନିଜର ଦସ୍ତଖତ ରଖୁଛନ୍ତି।

ଫଟୋ ସୌଜନ୍ୟ: ଅରୁଣ କୁମାର ସାହୁ (ଫେସ୍‌ବୁକ୍‌ ପେଜ୍)

ତେବେ ଅନେକ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କଠାରୁ କେଇପାଦ ଆଗେଇ ଯାଇ ଉପଦେଶ, କବିତା, ଦର୍ଶନ ଆଦି ବଖାଣିବାକୁ ପଛାଇନାହାନ୍ତି ଅରୁଣ। ଉଦାହରଣ ସ୍ବରୂପ, ଇଟାମାଟି ଇଣ୍ଡୋର ଷ୍ଟାଡିୟମ୍‌ ଭିତରେ ଖେଳାଳିଙ୍କ ପାଇଁ ଉପଦେଶ ଢାଳିଛନ୍ତି ଅରୁଣ। ଅନ୍ୟପଟେ କ୍ରୀଡ଼ାଙ୍ଗନ ବାହାରେ ବଡ଼ ହରଫରେ ଇଂରାଜୀରେ ଲେଖା ହୋଇଥିବାବେଳେ ଏଠାରେ ସ୍ଥାନୀୟ ଯୁବକଯୁବତୀ ଖେଳିବେ ନା ୟୁରୋପ୍‌ରୁ ଖେଳାଳି ଆସି ଖେଳିବେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ଫଟୋ ସୌଜନ୍ୟ: ଅରୁଣ କୁମାର ସାହୁ (ଫେସ୍‌ବୁକ୍‌ ପେଜ୍)

ନୟାଗଡ଼ ମହାବିଦ୍ୟାଳୟ ଭିତରେ ଥିବା ପାଠାଗାର ବାହାରେ ଅରୁଣଙ୍କ କବିତାଧର୍ମୀ ଲେଖାକୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚନା ଆରମ୍ଭ ହୋଇଛି। ତାଙ୍କ ଲେଖା କିଛି ବୁଝା ପଡ଼ୁନଥିବାବେଳେ ସେ ନୀତି,ଆଦର୍ଶ ଓ ସଫଳତାର ସଉଦା କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତାଉଛନ୍ତି ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।

ଫଟୋ ସୌଜନ୍ୟ: ଅରୁଣ କୁମାର ସାହୁ (ଫେସ୍‌ବୁକ୍‌ ପେଜ୍)

ଅନୁରୂପ ଭାବେ ନୟାଗଡ଼ ସହରର ବିଭିନ୍ନ ପ୍ରାନ୍ତରେ ଅରୁଣଙ୍କ ଉପଦେଶାତ୍ମକ ଲେଖା ସବୁ ହୋର୍ଡିଂ ମାଧ୍ୟମରେ ପ୍ରଦର୍ଶିତ ହୋଇଛି। ଅନୁରୂପ ଭାବେ ବିଭିନ୍ନ ପ୍ରାୟୋଜିତ ସଭାସମିତିରେ ତାଙ୍କୁ ଦାର୍ଶନିକ ଭାବେ ଚିତ୍ରଣ କରାଯାଉଛି। ମୁଖ୍ୟମନ୍ତ୍ରୀ କଥା କମ ଓ ଅଧିକ କାମରେ ବିଶ୍ବାସ କରୁଥିବାବେଳେ ନୟାଗଡ଼ରେ ଅରୁଣ କାମ କମ ଓ ଉପଦେଶ ଅଧିକ ଫିଙ୍ଗୁଛନ୍ତି ବୋଲି ଲୋକେ ସମାଲୋଚନା କରୁଛନ୍ତି।

ନୟାଗଡ଼ରେ ଅରୁଣ ବିଜୁ ଜନତା ଦଳରେ ଅନ୍ୟ କୌଣସି ନେତାଙ୍କ ଉତ୍ଥାନକୁ ସହ୍ୟ କରିପାରୁନଥିବା ଅଭିଯୋଗ ହୋଇଆସୁଥିବାବେଳେ ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ମଧ୍ୟ ଜିଲ୍ଲା ସୀମା ବାହାରକୁ ଠେଲି କେବଳ ନିଜର ଆତ୍ମପ୍ରଚାର କରି ଜିଲ୍ଲାର ଏକାଙ୍ଗ ଚକ୍ରବର୍ତ୍ତୀ ହେବାକୁ ଚାହୁଛନ୍ତି ବୋଲି ତାଙ୍କ ଦଳୀୟ ନେତା ଆଲୋଚନା କରୁଛନ୍ତି।

ଫଟୋ ସୌଜନ୍ୟ: ଅରୁଣ କୁମାର ସାହୁ (ଫେସ୍‌ବୁକ୍‌ ପେଜ୍)
ଫଟୋ ସୌଜନ୍ୟ: ଅରୁଣ କୁମାର ସାହୁ (ଫେସ୍‌ବୁକ୍‌ ପେଜ୍)
Screenshort from a video shared by Arum Kumar Sahoo (Facebook page)
Leave A Reply

Your email address will not be published.