୨୬ ହଜାର ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି

ଓଏଲ୍ ବ୍ୟୁରୋ: ବେସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଶିକ୍ଷକ ଓ କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ଏଣିକି ୨୬ ହଜାର ଶିକ୍ଷକ ସପ୍ତମ ବେତନ ହାରରେ ଦରମା ପାଇବେ।
୨୦୨୧ ମସିହା ଡିସେମ୍ବର ୩୧ସୁଦ୍ଧା ଶତ ପ୍ରତିଶତ ଅନୁଦାନ ପାଉଥିବା ବିଦ୍ୟାଳୟ ହିଁ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ। ଏହା ଦ୍ବାରା ୨୬,୧୬୪ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ। ରାଜକୋଷରୁ ବାର୍ଷିକ ୨୮୦.୪୮କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ। ୨୦୨୨ ଜାନୁୟାରୀ ପହିଲାରୁ ଏହି ବର୍ଦ୍ଧିତ ଦରମା ସେମାନଙ୍କୁ ମିଳିବ ।ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର ବାଜିଛି।
ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ୍ର ନିଷ୍ପତ୍ତି ମୁତାବକ ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’ ଯୋଜନାରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଚୌଧୁରୀ ଗଡ଼ା ଗ୍ରାମ ନିକଟରେ ମହାନଦୀରେ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ତିଖିରି ଗ୍ରାମ ନିକଟରେ ପାଇକା ନଦୀରେ ଆନିକଟ ସେତୁ ନିର୍ମାଣ ହେବ।
ସେହିପରି ମହିଳାଙ୍କୁ ଛତୁ, ଫୁଲ, ଆଳୁ, ପନିପରିବା ଓ ମସଲା ଆଦି ଚାଷ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ସରକାର ଗୋଟିଏ ୫ବର୍ଷିଆ ଓ ଗୋଟିଏ ୩ବର୍ଷିଆ ଯୋଜନାରେ ମୋଟ ପ୍ରାୟ ୧୫୦୦କୋଟି ଟଙ୍କା ବ୍ୟୟ କରିବେ । ଚାଷ ସଂକ୍ରାନ୍ତୀୟ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟକୁ ଆଳୁ, ପିଆଜ, ପନିପରିବା ଓ ମସଲା ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଓ ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ନିମନ୍ତେ ‘ଆଳୁ, ପନିପରିବା ଓ ମସଲା ଉନ୍ନୟନ ଯୋଜନା’ କାର୍ଯ୍ୟକାରୀ କରାଯିବ। ଏ ବାବଦରେ ୪ ବର୍ଷରେ ୧୧୪୨.୨୪ କୋଟି ଟଙ୍କା ବ୍ୟୟ କରାଯିବ।