Odisha Link
Bridging the Missing Links in Odisha

ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା: ସୁପ୍ରିମକୋର୍ଟ

ଓଏଲ୍‌ ବ୍ୟୁରୋ: ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ। ଆଜି ସୁପ୍ରିମକୋର୍ଟ କହିଛନ୍ତି ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ଥିଲା। ଏଥିରେ କୌଣସି ବେଆଇନ୍‌ କାର୍ଯ୍ୟ ହୋଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।୬ ବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ୫୦୦ ଓ ୧ହଜାର ଟଙ୍କିଆ ନୋଟ୍ ଅଚଳ କରିବାକୁ ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ୫୮ଟି ପିଟିସନର ଏକାଠି ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

ବିମୁଦ୍ରୀକରଣ ସଂକ୍ରାନ୍ତ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଗତ ଡିସେମ୍ବର ୭ ତାରିଖରେ କେନ୍ଦ୍ର ସରକାର ଓ ଆରବିଆଇକୁ ନିର୍ଦ୍ଦେଶ ଦେବା ସହ ରାୟ ସଂରକ୍ଷିତ ରଖିଥିଲେ। କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଘୋଷଣାକୁ ବିଭିନ୍ନ ରାଜନୈତିକ ଦଳ ଓ ଅର୍ଥନୀତିଜ୍ଞ ବିରୋଧ କରିଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳାଧନ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଥିଲେ। ମୋଦି ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶରେ ଚହଳ ପଡିଯାଇଥିଲା। ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡିଥଲା। ଆଉ କାରବାର ପ୍ରଭାବିତ ହୋଇଥିଲା।

ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ପି ଚିଦମ୍ବରମ୍‌‌ ଯୁକ୍ତି ଦର୍ଶାଇଥିଲେ ଯେ ୫ଶହ ଏବଂ ୧ହଜାର ଟଙ୍କିଆ ନୋଟ ଅଚଳ କରିଦିଆଯିବା ଘଟଣା ସମ୍ପୂର୍ଣ୍ଣ ଭାବରେ ବେଆଇନ ଥିଲା। ସରକାର ବ୍ୟାଙ୍କ ନୋଟ ସମ୍ପର୍କରେ ନିଜଆଡୁ କୌଣସି ପଦକ୍ଷେପ ନେଇପାରିବେ ନାହିଁ ଏବଂ ତାହା କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ସୁପାରିଶ ଅନୁଯାୟୀ କରାଯାଇପାରିବ।

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ବିମୁଦ୍ରାୟନ ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା ଏବଂ ଜାଲ ଟଙ୍କା କାରବାର, ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ, କଳାଟଙ୍କା କାରବାର ଓ ଟିକସ ଠକେଇ ଆଦି ରୋକିବାକୁ ପ୍ରସ୍ତୁତ ଏକ ବୃହତ୍ତର ରଣକୌଶଳର ଏହା ଅଂଶବିଶେଷ ଥିଲା। ପିଛିଲା ସମୟର ସମୀକ୍ଷା କରାଯାଇ କୌଣସି ଫଳପ୍ରଦ ଆଶ୍ୱସ୍ତି ପ୍ରଦାନ କରିବା ସମ୍ଭବ ନଥିବାରୁ ସର୍ବୋଚ୍ଚ ଅଦାଲତ ସେଭଳି ବିଷୟରେ ନିଷ୍ପତ୍ତି ନେଇପାରିବେ ନାହିଁ।

ଆର୍‌‌ବିଆଇ ପକ୍ଷରୁ ସ୍ୱୀକାର କରାଯାଇଥିଲା ଯେ ଏହାଦ୍ୱାରା ସାମୟିକ ଭାବରେ ଦେଶବାସୀ ଜଟିଳ ସମୟ ଦେଇ ଗତିକରିଥିଲେ ଏବଂ ତାହା ରାଷ୍ଟ୍ର ଗଠନ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଅବଶ୍ୟ ତାହାଦ୍ୱାରା ସୃଷ୍ଟ ସମସ୍ୟାଗୁଡିକୁ ଆର୍‌‌ବିଆଇର ରହିଥିବା ବ୍ୟବସ୍ଥା ଦ୍ୱାରା ସମାଧାନ କରାଯାଇଥିଲା। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ୫୮ଟି ଆବେଦନର ଶୁଣାଣି କରିସାରିଛନ୍ତି।

Leave A Reply

Your email address will not be published.