Odisha Link
Bridging the Missing Links in Odisha

୨୦୨୪ ପୂର୍ବରୁ ୨୦୨୩ ସେମିଫାଇନାଲ, ୯ ରାଜ୍ୟରେ ବିଧାନସଭା ନିର୍ବାଚନ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବର୍ଷ ୨୦୨୩। ରାଜନୈତିକ ଦୃଷ୍ଟି କୋଣରୁ ଏହି ବର୍ଷ ସବୁ ରାଜନୈତିକ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୯ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଆଉ ଅନ୍ୟପଟେ ୨୦୨୪ ନିର୍ବାଚନକୁ ନଜରରେ ରଖି ୨୦୨୩ରେ ସମସ୍ତ ଦଳ ନିଜ ସଙ୍ଗଠନକୁ ସୂଦୃଢ଼ କରିବା ପାଇଁ କରିବେ କସରତ। ଏପରିକି ୨୦୨୪ ଫାଇନାଲ ମୁକାବିଲା ପୂର୍ବରୁ ୨୦୨୩ ବର୍ଷକୁ ସେମି ଫାଇନାଲର ଭାବରେ ବିବେଚନା କରାଯାଉଛି ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି।

ଚଳିତବର୍ଷ ଦେଶର ୯ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଚଳିତବର୍ଷ ପ୍ରଥମରେ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିିକରେ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଫେବ୍ରୁଆରୀ -ମାର୍ଚ୍ଚରେ ଏହି ରାଜ୍ୟଗୁଡିକରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ତ୍ରିପୁରା ଭାଜପା ଦ୍ୱାରା ଶାସିତ, ନାଗାଲାଣ୍ଡରେ ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରଗତିଶୀଳ ଦଳ କ୍ଷମତାରେ ଅଛି। ଅନ୍ୟପଟେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଗ୍ରୀଷ୍ମ ମାସରେ ହେବ।

ସେହିପରି ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମର ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ଏବଂ ଜାନୁୟାରୀ ୨୦୨୪ ରେ ବିଭିନ୍ନ ତାରିଖରେ ଶେଷ ହେବ। ମିଜୋରାମର ୪୦ ସଦସ୍ୟ ବିଶିଷ୍ଟ ବିଧାନସଭାର କାର୍ଯ୍ୟକାଳ ଡିସେମ୍ବର ୧୭ରେ ଶେଷ ହୋଇଥିବାବେଳେ ଛତିଶଗଡ ଏବଂ ମଧ୍ୟପ୍ରଦେଶ ବିଧାନସଭାର ଅବଧି ଯଥାକ୍ରମେ ୩ ଜାନୁୟାରୀ ଏବଂ ୬ ଜାନୁଆରୀ ୨୦୨୪ ରେ ଶେଷ ହେବ।

ନଅ ରାଜ୍ୟରେ ବିଧାନସଭା ନିର୍ବାଚନ ବ୍ୟତୀତ ଜମ୍ମୁ- କଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ମଧ୍ୟ ଚଳିତ ବର୍ଷ ହେବାର ସମ୍ଭାବନା ରହିଛି। ସୂତ୍ରରୁ ପ୍ରକାଶ ଯେ ଜମ୍ମୁ-କଶ୍ମୀରରେ ଶୀତର ପ୍ରଭାବ କମିଯିବା ପରେ ୨୦୨୩ ର ଗ୍ରୀଷ୍ମ ସମୟରେ ବିଧାନସଭା ନିର୍ବାଚନ ହୋଇପାରେ। ଗତ ୨୦୨୨ବର୍ଷ ନଭେମ୍ବର ୨୫ ରେ ଜମ୍ମୁ-କଶ୍ମୀରର ଶେଷ ଭୋଟର ତାଲିକା ପ୍ରକାଶ ପାଇବା ସହିତ ଏଠାରେ ନିର୍ବାଚନ ପାଇଁ ରାସ୍ତା ସଫା ହୋଇଛି।

Leave A Reply

Your email address will not be published.