Odisha Link
Bridging the Missing Links in Odisha

ବିଧାୟକ ଅରୁଣଙ୍କ ପାଇଁ ଜାତୀୟ ସଂଗୀତକୁ ଅପମାନ!

ଜାନୁଆରୀ ୩ ତାରିଖ ମଙ୍ଗଳବାର ଦିନ ନୟାଗଡ଼ ସହରର ରୂପାନ୍ତରିତ ଖେଳ ପଡ଼ିଆର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଅରୁଣ।

ନୟାଗଡ଼ : ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ବିଧାୟକ ଡ. ଅରୁଣ ସାହୁଙ୍କ ପାଇଁ ଜାତୀୟ ସଂଗୀତକୁ ଅବମାନନା କରାଯାଇଛି। ସେ ପ୍ରସ୍ତୁତ ନଥିବାରୁ ଜାତୀୟ ସଂଗୀତ ମଝିରୁ ବନ୍ଦ କରି ପୁନର୍ବାର ପରିବେଷଣ କରାଯାଇଛି। ସ୍ଥାନୀୟ ନୟାଗଡ଼ ଖେଳ ପଡ଼ିଆର ଉଦଘାଟନ ଉତ୍ସବରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଜାନୁଆରୀ ୩ ତାରିଖ ମଙ୍ଗଳବାର ଦିନ ନୟାଗଡ଼ ସହରର ରୂପାନ୍ତରିତ ଖେଳ ପଡ଼ିଆର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଅରୁଣ। ଖେଳାଳିମାନଙ୍କ ସହ ଅତ୍ୟନ୍ତ ତରବରିଆ ଭାବେ ହାତ ମିଳାଇ ଅରୁଣ ଚାଲି ଯାଉଥିବାବେଳେ ଜାତୀୟ ସଂଗୀତ ଗାନ କରାଯିବ ବୋଲି ମଞ୍ଚରୁ ଘୋଷଣା ଶୁଭିଥିଲା। ଅରୁଣ ଅପ୍ରସ୍ତୁତ ହୋଇ ଯାଇଥିଲେ। ସେ ଅନ୍ୟମାନଙ୍କୁ ଠିଆହେବା ପାଇଁ ତାଗିଦ କରୁଥିବାବେଳେ ରେକର୍ଡ ଜାତୀୟ ସଂଗୀତ ଆରମ୍ଭ ହୋଇଥିଲା।

ଯେହେତୁ ଅରୁଣ ପ୍ରସ୍ତୁତ ନଥିଲେ, ଆୟୋଜକ ଜାତୀୟ ସଂଗୀତକୁ ମଝିରୁ ବନ୍ଦ କରି ଦେଇଥିଲେ ଓ ପୁଣି ଆରମ୍ଭ କରିଥିଲେ। ଅବଶ୍ୟ ଏ ନେଇ ଅରୁଣଙ୍କ ମୁହଁରେ ଅସନ୍ତୋଷ ସ୍ପଷ୍ଟ ବାରି ହେଉଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। https://fb.watch/hTNuAE4PLU/

ସୂଚନାଯୋଗ୍ୟ, ଜାନୁଆରୀ ୩ ତାରିଖ ମଙ୍ଗଳବାର ଦିନ ରୂପାନ୍ତରିତ ଖେଳ ପଡ଼ିଆ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

ଖେଳପଡ଼ିଆ ଉଦଘାଟନ ଅବସରରେ ଏକ ମହିଳା ଫୁଟବଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। କଳିଙ୍ଗ ସ୍ପୋର୍ଟସ୍‌ ଏକାଡେମୀ ଭୁବନେଶ୍ବର ବନାମ ବିଡ଼ାନାସୀ କ୍ଲବ କଟକ ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କଳିଙ୍ଗ ସ୍ପୋର୍ଟସ୍‌ ଏକାଡେମୀ ଭୁବନେଶ୍ବର ୧-୦ ଗୋଲରେ ବିଜୟୀ ହୋଇଥିଲେ। ମୁଖ୍ୟ ଅତିଥି ବିଧାୟକ ଡ. ଅରୁଣ କୁମାର ସାହୁ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

Leave A Reply

Your email address will not be published.