ମୁକୁଳା ଡ୍ରେନରେ ପଡି ଶିଶୁ ମୃତ
ମୁକୁଳା ଡ୍ରେନରେ ପଡି ଶିଶୁର ଜୀବନ ଚାଲିଯିବାରୁ ପରିବାର ଲୋକଙ୍କ ସହ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଦାୟୀ କରିଛନ୍ତି
ଓଏଲ୍ ବ୍ୟୁରୋ : ଗୁଡ଼ି ଉଡାଉ ଉଡାଉ ପଡିଗଲେ ମୁକୁଳା ଡ୍ରେନରେ ଆଉ ଚାଲିଗଲା ଶିଶୁର ଜୀବନ। ଏପରି ହୃଦୟ ବିଦାରକ ଘଟଣା ଗତକାଲି ସିଲିଭର ସିଟି କଟକରେ ଘଟିଥିବା ଜଣା ପଡିଛି। ମୁକୁଳା ଡ୍ରେନରେ ପଡି ଯାଇଥିବା ୯ ବର୍ଷର ଶିଶୁକୁ ପରିବାର ଲୋକେ ଉଦ୍ଧାର କରି ମେଡିକାଲ ନେବା ବେଳକୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୁକୁଳା ଡ୍ରେନରେ ପଡି ଶିଶୁର ଜୀବନ ଚାଲିଯିବାରୁ ପରିବାର ଲୋକଙ୍କ ସହ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଦାୟୀ କରିଛନ୍ତି।
ସୂଚନା ଅନୁସାରେ, କଟକ ବିଡାନାସୀ ବନ୍ଧ ଛକ ଅଞ୍ଚଳର ଜଣେ ୯ ବର୍ଷୀୟ ବାଳକ ଗତକାଲି ଅପରାହ୍ନରେ ଗୁଡି ଉଡାଉଥିଲା। ଗୁଡ଼ି ଉଡାଇବା ସମୟରେ ସେ ଏକ ମୁକୁଳା ଡ୍ରେନରେ ପଡ଼ି ଯାଇଥିଲା। ଅନେକ ସମୟ ପର୍ଯ୍ୟନ୍ତ କେହି ଦେଖି ନ ପାରିବାରୁ ପିଲାଟି ଡ୍ରେନରେ ପଡ଼ି ରହିଥିଲା। ପିଲାଟିର ପରିବାର ଲୋକେ ଅଣେକ ସମୟ ଖୋଜାଖୋଜି ପରି ଡ୍ରେନରୁ ପିଲାଟିକୁ ଉଦ୍ଧାର କରି ମେଡିକାଲ ନେବା ପରେ ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁର ମା କହିଛନ୍ତି, ଡ୍ରେନଟି ମୁକୁଳା ଥିବାରୁ ସେ ତାଙ୍କ ଶିଶୁଙ୍କୁ ହରାଇଛନ୍ତି। ଏଭଳି ଅଧା ଛଡା ଯାଇଥିବା ଡ୍ରେନ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକବି ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି।