ମାର୍ଚ୍ଚ ୧୦ରେ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରିଲିମ୍ ପରୀକ୍ଷା
ମାର୍ଚ୍ଚ ମାସରେ ପ୍ରିଲିମ୍ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା

ଓଏଲ୍ ବ୍ୟୁରୋ : ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚ ମାସ ୧୦ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ମାସରେ ପ୍ରିଲିମ୍ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି।
ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ହେବାକୁ ଥିବା ପ୍ରିଲିମ୍ ପରୀକ୍ଷା କେବଳ ଟିଜିଟି କଳା ଓ ବିଜ୍ଞାନ ଆଶାୟୀ ଦେବେ। ସଂସ୍କୃତ, ହିନ୍ଦୀ, ଊର୍ଦ୍ଧୁ, ତେଲୁଗୁ ଏବଂ ପିଇଟି ଆଶାୟୀ ମେନ୍ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି। ପ୍ରିଲିମ୍ ପରୀକ୍ଷା ଶହେ ମାର୍କର ଅନୁଷ୍ଠିତ ହେବ। ଏଥିରେ ୩୦ ମାର୍କର ସାଧାରଣ ଜ୍ଞାନ, ୨୦ ମାର୍କର ବୀଜଗଣିତ, ୨୦ ମାର୍କର କମ୍ପ୍ୟୁଟର ଏବଂ ୧୦ ମାର୍କର କରେଣ୍ଟ ଆଫେୟାର୍ସ ସମ୍ପର୍କିତ ପ୍ରଶ୍ନପତ୍ର ଆସିବ ବୋଲି ଜଣା ପଡିଛି।
ସୂଚନା ଅନୁସାରେ, ଓଏସଏସସି ପକ୍ଷରୁ ଚୁଡ଼ାନ୍ତ ଆବେଦନକାରୀଙ୍କ ତାଲିକା ପ୍ରକାଶ ପାଇଥିବାବେଳେ ଏଥିରୁ ୫ ହଜାର ୪୮୪ ଜଣ ଆଶାୟୀଙ୍କ ଆବେଦନ ନାକଚ୍ କରାଯାଇଛି। ଆବେଦନ ନାକଚ୍ ଅସମ୍ପୂର୍ଣ୍ଣ ତଥ୍ୟ ଓ ଆବେଦନ ପ୍ରକ୍ରିୟାରେ ଅନ୍ୟାନ୍ୟ ତ୍ରୁଟି ଥିବା ଜଣ ପଡିଛି। ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ୭,୫୪୦ ପଦ ଲାଗି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।
୭,୫୪୦ ପଦ ମଧ୍ୟରୁ ଟିଜିଟି କଳା ବର୍ଗରେ ୧୯୭୦ ପଦ, ପିସିଏମ(ବିଜ୍ଞାନ)ର ୧୪୧୯, ସିବିଜେଡ୍(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ରହିଛି। ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦରେ ଆଶାୟୀ ନିଯୁକ୍ତି ପାଇବେ ବୋଲି ଜଣା ପଡିଛି। ତେବେ ପ୍ରକାଶିତ ସମୁଦାୟ ପଦର ୫ଗୁଣା ଆବେଦନକୁ ଭିତ୍ତିକରି ପ୍ରିଲିମ୍ ପରୀକ୍ଷାର ନିଷ୍ପତ୍ତି ନିଆଯାଇଛି।
ଟିଜିଟି କଳା, ଟିଜିଟି ପିସିଏମ(ବିଜ୍ଞାନ) ଓ ଟିଜିଟି ସିବିଜେଡ୍ ଆଶାୟୀଙ୍କ ପ୍ରିଲିମ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଅବଶିଷ୍ଟ ପଦଗୁଡ଼ିକ ପାଇଁ ପ୍ରିଲିମ୍ ପରୀକ୍ଷା ହେବ ନାହିଁ। ଅବଶିଷ୍ଟ ଆଶାୟୀ କେବଳ ମେନ୍ ପରୀକ୍ଷା ଦେବେ। ମେନ୍ ପରୀକ୍ଷାରେ ଆଶାୟୀଙ୍କ ବିଷୟଭିତ୍ତିକ ପ୍ରଶ୍ନ ଆସିବାକୁ ଥିବାବେଳେ ଏହି ପରୀକ୍ଷା ୧୫୦ ମାର୍କ ସମ୍ବଳିତ ହେବ ବୋଲି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ସୂଚନା ମିଳିଛି।