Odisha Link
Bridging the Missing Links in Odisha

ସଠିକ୍ ସମୟରେ ଟୀକାକରଣ ଏବଂ ପାପ୍ ସ୍କ୍ରିନିଂ ଦ୍ୱାରା ଗର୍ଭାଶୟ କର୍କଟ ଚିକିତ୍ସା ସମ୍ଭବ : କିମ୍‌ସ ଡାକ୍ତର

ଟିକା ୯-୧୦ ବର୍ଷ ବୟସର ବାଳିକାମାନେ ନେଇ ପାରିବେ କାରଣ ଏହି ସମୟରେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ।

ଓଏଲ୍ ବ୍ୟୁରୋ : ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା କର୍କଟ ରୋଗ ମଧ୍ୟରୁ ଗର୍ଭାଶୟ କର୍କଟ ଦ୍ୱିତୀୟ ସର୍ବାଧିକ। ସମୟ ପୂର୍ବରୁ ଏହାକୁ ଚିହ୍ନଟ କରାଯାଇପାରିଲେ ଏହାର ନିରାକରଣ ସମ୍ଭବ ବୋଲି କିମ୍‌ସ-ଭୁବନେଶ୍ୱରର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗ ପ୍ରଫେସର (ଡା.) ସୁଧାଂଶୁ କୁମାର ରଥ କହିଛନ୍ତି। ଏହି ରୋଗର ଏଚ୍‌.ପି.ଭି ଟିକା ଉପଲବ୍ଧ। ଏହି ଭୟଙ୍କର ରୋଗରୁ ରକ୍ଷା ପାଇବାକୁ ହେଲେ ସହବାସ ପୂର୍ବରୁ ଟିକା ନେବା ଜରୁରୀ ଅଟେ। ଏହି ଟିକା ୯-୧୦ ବର୍ଷ ବୟସର ବାଳିକାମାନେ ନେଇ ପାରିବେ କାରଣ ଏହି ସମୟରେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ।

ଜାନୁଆରୀ ମାସ ଗର୍ଭାଶୟ କର୍କଟ ଏବଂ ଏଚ୍‌ପିଭି ଟିକାକରଣ ବିଷୟରେ ସଚେତନତା ସୃଷ୍ଟି କରିବାର ମାସ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ଚଳିତ ବର୍ଷର ବିଷୟବସ୍ତୁ କିଛି ପିଢି ମଧ୍ୟରେ ଗର୍ଭାଶୟ କର୍କଟ ରୋଗର ସମାପ୍ତି ଉପରେ ଧ୍ୟାନ ଦେଉଛି। ସର୍ଭିକାଲ କ୍ୟାନସର ବା ଗର୍ଭାଶୟ ଗ୍ରୀବା କର୍କଟ ହୋବର କାରଣ ମାନବ ପାପୋଲିମା ଭୂତାଣୁ ବା (ଏଚ୍‌.ପି.ଭି)। ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ଏହା ଅନ୍ୟକୁ ସଂକ୍ରମିତ ହୋଇଥାଏ। ଏହି ସଂକ୍ରମଣ ବାରମ୍ବାର ହେବାର ସମ୍ଭାବନା ଥାଏ।

ପ୍ରତିବର୍ଷ ପ୍ରାୟ ୧ଲକ୍ଷ ୨୫ହଜାର ମହିଳା ଗର୍ଭାଶୟ କର୍କଟର ସମ୍ମୁଖୀନ ହୋଇଥାନ୍ତି ଏବଂ ସେଥି ମଧ୍ୟରୁ ୭୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କର ମୃତ୍ୟୁ ଘଟିଥାଏ। ଗର୍ଭାଶୟ କର୍କଟ ପ୍ରାରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ପରବର୍ତ୍ତୀ ସମୟରେ ଶରୀରରେ ସାଧାରଣତଃ କିଛି ଲକ୍ଷଣ ଦେଖିବାକୁ ମିଳେ ସେଗୁଡ଼ିକ ହେଲା ଯୋନୀପଥରୁ ଅନିୟମିତ ରକ୍ତସ୍ରାବ, ଦୁର୍ଗନ୍ଧଯୁକ୍ତ ନିଷ୍କାସନ, ସହବାସରେ ଯନ୍ତ୍ରଣା ଅନୁଭବ ହେବା ଇତ୍ୟାଦି। ତେବେ ଏଭଳି ଲକ୍ଷଣ ଦେଖାଦେଲେ ତାହାକୁ କର୍କଟ ବୋଲି ନ ଭାବି ଡାକ୍ତରଙ୍କ ପରାମର୍ଶ ନିଆଯିବା ଆବଶ୍ୟକ।

ଲୋକଙ୍କ ମଧ୍ୟରେ ସଚେତନତା ଓ ସମୟ ପୂର୍ବରୁ ଏହାର ଚିହ୍ନଟ କରାଯାଇପାରିଲେ ନିରାକରଣ ସହଜ ହୋଇଥାଏ। ଏବେ କିମ୍‌ସ-ଭୁବନେଶ୍ୱରରେ ଗର୍ଭାଶୟ କର୍କଟ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ। ଗତ ବର୍ଷ ସେପ୍ଟେମ୍ବର ମାସରେ ଗର୍ଭଶୟ କର୍କଟ ବିରୋଧରେ ଭାରତ ପ୍ରଥମ ଟିକା (ସିଇଆରଭିଏଭିଏସି) ପାଇଛି। ଦେଶରେ ଟିକା ପ୍ରସ୍ତୁତ କରାଯାଉଥିବାରୁ ଏହାର ମୂଲ୍ୟ ଏକ ବଡ ପ୍ରତିବନ୍ଧକ ହେବ ନାହିଁ। ଏହା ସେରମ୍‌ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଏହାକୁ ପ୍ରସ୍ତୁତ କରିଛି। ଏହି ଟିକାର ଉପଲବ୍ଧତା ଆମଦାନୀ ହୋଇଥିବା ଟିକା ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ, ଯାହାକୁ ପ୍ରାୟ ସମସ୍ତେ କ୍ରୟ କରିପାରିବେ ବୋଲି ଡା ରଥ ମତ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.