ବୋହୂର ଦ୍ୱିତୀୟ ବିବାହ କରାଇଲେ ନବୀନ ନନ୍ଦ

ଓଏଲ୍ ବ୍ୟୁରୋ : ପ୍ରତିବର୍ଷ ଜାନୁଆରୀ ୨୪ ତାରିଖରେ ପାଳନ ହେଉଛି ଜାତୀୟ କନ୍ୟା ଦିବସ। ଏହି ଦିବସରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ। ପୁଅଙ୍କ ମୃତ୍ୟୁ ପରେ ନିଜ ବୋହୂର କରାଇଛନ୍ତି ଦ୍ୱିତୀୟ ବିବାହ। ସୂଚନା ଅନୁସାରେ, ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ୨୦୨୧ରେ ମୃତ୍ୟୁ ହୋଇଥିଲା। କରୋନା ସଂକ୍ରମିତ ହେବା ପରେ ତାଙ୍କର ଫୁସଫୁସ ସଂକ୍ରମଣ କାରଣରୁ ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କ ମୃତ୍ୟୁ ହୋଇଥିଲା।
ପୁଅର ମୃତ୍ୟୁ ପରେ ନିଜ ବୋହୂକୁ ଝିଅ ଭଳି ରଖିଥିଲେ ନବୀନ। ବର୍ତ୍ତମାନ ନବୀନ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ନିଜ ବୋହୂର ବିବାହ କରାଇଥିବା ସୂଚନା ଦେଇ କହିଛନ୍ତି ଯେ, ବୋହୂର ଦ୍ୱିତୀୟ ବିବାହ କରାଇଥିବାରୁ ତାଙ୍କ ପାଇଁ ଏହି ଦିନଟି ପାଇଁ ସ୍ମରଣୀୟ ହୋଇ ରହିବ।
ସେ ପ୍ରକାଶ କରିଛନ୍ତି, ମୁଁ ଭୁଲ କରିଛି କି ଠିକ କରିଛି ଜାଣିନି। କିନ୍ତୁ ହିନ୍ଦୁ ରୀତି ନୀତି ଓ ପରମ୍ପରାରୁ ବାହାରକୁ ଯାଇ ମୋର ସ୍ବର୍ଗତ ବଡ଼ ପୁଅ ସମ୍ବିତ (ସୋମୁ )ର ସ୍ତ୍ରୀ “ମଧୁସ୍ମିତା”(ସୀମା)କୁ ଦ୍ଵିତୀୟ ବିବାହ ପାଇଁ ସମ୍ମତି ଦେଲି। ଏଥିରେ ଆମ ଦୁଇ ପରିବାର ମୋର ସମୁଦି ମଧୁସ୍ମିତାର ବାପା ଶ୍ରୀଯୁକ୍ତ ନୀଳମଣି ପଣ୍ଡାଙ୍କ ସମ୍ମତି କ୍ରମେ ଏହି ବାହାଘର ଆଜି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ “ଲକ୍ଷ୍ମୀ ମନ୍ଦିର” ପରିସରରେ ଅତି ନିରାଡ଼ମ୍ବର ଭାବେ ସମ୍ପର୍ଣ୍ଣ ହେଲା।
ନବୀନ ନିଜ ସୋସିଆଲ ମିଡିଆ ମାଧ୍ୟମରେ ପ୍ରକାଶ କରି କହିଛନ୍ତି “ମଧୁସ୍ମିତା”ର ଶୁଭ ବିବାହ ବାଲେଶ୍ୱର ଜିଲ୍ଲା ରେମୁଣା ନିବାସୀ ସ୍ବର୍ଗତ କିଶୋର ଚନ୍ଦ୍ର ପତି ଙ୍କର ଏକ ମାତ୍ର ପୁତ୍ର “ଶିବ ଚନ୍ଦନ”ଙ୍କ ସହ ବିବାହରେ ମୋର ଧର୍ମପତ୍ନୀ ରଞ୍ଜିତାଙ୍କ ସହ ମଧୁସ୍ମିତାର ଦୁଇ ଭାଇ ସୌମ୍ୟରଞ୍ଜନ ଓ ରଶ୍ମିରଞ୍ଜନଙ୍କ ଉପସ୍ଥିତିରେ ସମ୍ପର୍ଣ୍ଣ କରାଗଲା। ଭଗବାନ ସେମାନଙ୍କ ଦାମ୍ପତ୍ୟ ଜୀବନ କୁ ସୁଖମୟ କରନ୍ତୁ ଏତିକି ଆମର କାମନା।