Odisha Link
Bridging the Missing Links in Odisha

କମିବ ଶୀତ, ବଢିପାରେ ତାପମାତ୍ରା

ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬.୫ ଡିଗ୍ରି ରହିଥିଲା।

ଓଏଲ୍‌ ବ୍ୟୁରୋ : ପୁଣିଥରେ ଶୀତର ପ୍ରକୋପ କମିଯାଇଛି। ଗତକାଲି ରାତିରୁ ରାଜ୍ୟର ତାପମାତ୍ରା ଧୀରେଧୀରେ ବଢ଼ିବା ଆରମ୍ଭ କରିଛି। ତଥାପି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାଡ଼ ଜାରି ରହିଛି। ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬.୫ ଡିଗ୍ରି ରହିଥିଲା। ସୁନ୍ଦରଗଡ଼ ଓ କୋରାପୁଟରେ ରାତି ତାପମାତ୍ରା ୯.୫ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଗତ ରାତିରେ ଭୁବନେଶ୍ବରର ସର୍ବନିମ୍ନ ୧୪.୯ ଡିଗ୍ରି ଓ କଟକରେ ୧୫.୫ ଡିଗ୍ରି ରହିଥିଲା। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଦିନରେ ଏବେ ପ୍ରବଳ ଖରା ହେଉଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୩୪.୫ଡିଗ୍ରି ରେକର୍ଡ ହୋଇଛି। ପଛକୁ ରହିଛି ରାଜଧାନୀ। ଏଠାରେ ଦିନ ତାପମାତ୍ରା ୩୪.୨ ଡିଗ୍ରି ରହିଥିଲା। କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଫେରିଥିଲା ଶୀତର ଲହରୀ। କିଛି ଅଞ୍ଚଳରେ ରାତିରେ ପ୍ରବଳ ଶୀତ ଅନୁଭୂତ ହୋଇଥିବାବେଳେ ଦିନରେ କିଛି ଅଞ୍ଚଳରେ ପ୍ରଚଣ୍ଡ ଖରା ହେଉଥିବା ଜଣା ପଡ଼ିଛି।

ପୂର୍ବରୁ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହୋଇଥିଲା। ସେଠାରେ ଦିନର ତାପମାତ୍ରା ଅଧିକ ରହିବା ସହ ଖରା ଟାଣ ହେଉଛି। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬ ଡିଗ୍ରି ରହିଥିଲା।

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯିବ। ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଜଣା ପଡ଼ିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ରାଜ୍ୟରେ ଧୀରେଧୀରେ ଶୀତ କମିବ। ସମଗ୍ର ଉପକୂଳ ସମେତ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ, ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ‌ କମିବାରେ ଲାଗିଛି, ତଥାପି ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି। ରାତିରେ କାକର ପଡୁଥିବାରୁ ସକାଳ ବୁଲା ସମୟରେ ଲୋକେ ସାମାନ୍ୟ ଥଣ୍ଡାର ଅନୁଭୂତିକୁ ସାମ୍ନା କରୁଛନ୍ତି। ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା କମୁଥିବାରୁ ଥଣ୍ଡା ଅନୁଭୂତ ହେଉଛି, ହେଲେ ପୂର୍ବ ଭଳି ଜାଡ଼ ନଥିବା କୁହାଯାଉଛି।।

Leave A Reply

Your email address will not be published.