Odisha Link
Bridging the Missing Links in Odisha

‘ଓଡ଼ିଶାରେ ଓଡ଼ିଆମାନେ ନିର୍ଯାତିତ ହେଉଛନ୍ତି’

କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର।

ଓଏଲ୍‌ ବ୍ୟୁରୋ : କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ ପ୍ରଭାରୀ ଚେଲ୍ଲା କୁମାର ଓ ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ। ଦଳରେ ଯୋଗ ଦେବା ସେ ଆଜି ଓଡ଼ିଶା ଫେରିଛନ୍ତି। ଓଡ଼ିଶା ଫେରିବା ପରେ ସେ ପ୍ରେସମିଟ ମାଧ୍ୟମରେ ନିଜର ମତ ରଖିଛନ୍ତି।

ସେ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ମାନେ ନିର୍ଯ୍ୟାତିତ। ଓଡ଼ିଶାରେ କଣ୍ଟ୍ରାକ୍ଟରମାନେ କାମ ପାଇପାରୁନାହାଁନ୍ତି। କେବଳ ବଡ ବଡ ନୁହେଁ, ଛୋଟ ଛୋଟ କଣ୍ଟ୍ରାକ୍ଟର ଯଦି ଓଡ଼ିଶା ବାହାରୁ ଆସି କାମ କରିବେ, ତେବେ ଓଡ଼ିଶାର ଲୋକ କୁଆଡେ ଯିବେ? ରାଜ୍ୟର ବିକାଶ ପାଇଁ ଅନେକ କାମ ଚାଲିଛି ହେଲେ ସବୁକିଛି ବାହାରୁ ଆସୁଛି। ବାହାର ଲୋକଙ୍କୁ ସବୁ କାମ ଦିଆଯାଉଛି। ଓଡ଼ିଶାରେ ଓଡ଼ିଶା ଲୋକଙ୍କୁ କାମ ନମିଳିବା କାରଣରୁ ଓଡିଶାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ବିଜୟ କହିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ନିଯୁକ୍ତିର ଅଭାବ ଦେଖାଦେଇଛି। ଓଡ଼ିଶାର କେତେ ଲୋକ ବାହାରେ ଦାଦନ ଖଟୁଛନ୍ତି, ତାହା ସରକାରଙ୍କ ପାଖରେ ତଥ୍ୟ ନାହିଁ। ଓଡ଼ିଶାରେ ଯଦି ସୁବିଧା ସୁଯୋଗ ଥାନ୍ତା, ତେବେ ଓଡ଼ିଆ ଲୋକମାନେ କଣ ପାଇଁ ବାହାରକୁ ଯାଆନ୍ତେ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ବିଜୟ ପଟ୍ଟନାୟକ କହିଛନ୍ତି, ନବ ଦାସଙ୍କୁ ବୋଧ ହୁଏ ସେ ଏଏସଆଇ ମାରିନି। କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର। ଯଦି କ୍ରାଇମବ୍ରାଞ୍ଚ ପାରୁନି, ମାମଲା ସିବିଆଇକୁ ଦେଇଦେବା ଉଚିତ। ଏହି ଘଟଣା ପଛରେ ନିଶ୍ଚିତ କୌଣସି ଲୋକର ହାତ ଅଛି। ଘଟଣାରେ କାହାର ହାତ ନଥିଲେ, ସେ ଏଏସଆଇ କଣ ମାରିଦେଇପାରିବ। ଖାଲି ସେ ଏଏସଆଇ ମାରିଥିବ ବୋଲି ମୋର ବିଶ୍ବାସ ହେଉନି ବୋଲି ବିଜୟ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି।

ପୂର୍ବରୁ ଦଳରେ ଯୋଗ କରିବା ପରେ ବିଜୟ ପଟ୍ଟନାୟକ କହିଥିଲେ, ମୁଁ ଯେଉଁ ନବୀନ ବାବୁଙ୍କ ପାଖରେ ଥିଲି, ବର୍ତ୍ତମାନ ଯାହାଙ୍କୁ ଦେଖୁଛି ତାଙ୍କ ଭିତରେ ବହୁତ ଫରକ। ସେ ସମୟର ନବୀନ ବାବୁ ଆଉ ଏବେ ମଧ୍ୟରେ ଆକାଶ ପାତାଳର ଫରକ, ସେ ଆଉ ସେଇ ନବୀନ ବାବୁ ହୋଇକି ନାହାନ୍ତି। ବର୍ତମାନ ଓଡ଼ିଶାର ରାଜନୀତି ଏଭଳି ଏକ ପରିସ୍ଥିତିରେ ପହଂଚିଛି, ଯେଉଁଠିକି ଗୋଟେ ଶକ୍ତିଶାଳୀ ବିକଳ୍ପର ଆବଶ୍ୟକତା ରହୁଛି। ମୁଁ ଦେଖିଲି କଂଗ୍ରେସ ହିଁ ଗୋଟେ ସେଇଭଳି ବିକଳ୍ପ ହେଇପାରିବ। ସେ ମଧ୍ୟ କହିଥିଲେ, ପରିବର୍ତନ ତ ଅବଶ୍ୟ ଆସିବ, କୌଣସି ଜିନିଷ ଚିରସ୍ଥାୟୀ ନୁହେଁ। ଚେଷ୍ଟାବଳ, ଇଚ୍ଛାଶକ୍ତି ଓ ମନୋବଳ ସୁଦୃଢ କଲେ ପରିବର୍ତନ ନିଶ୍ଚିତ ହେବ।

କଂଗ୍ରେସରେ ଯୋଗ ଦେବା ପରେ ବିଜୟ ପଟ୍ଟନାୟକ କହିଥିଲେ, ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଛି। ନୀତି ଆଦର୍ଶକୁ ନେଇ ଆଗକୁ ବଢିବି। ଓଡ଼ିଶାରେ ଦୁର୍ନୀତି ଓ କୁଶାସନ ଚାଲିଛି। ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚୁନାହିଁ। ମୁଁ ଲୋକଙ୍କ ପାଇଁ କାମ କରିବି। କଂଗ୍ରେସର ଉଦାରବାଦୀ ନୀତି ପାଇଁ ହାତ ଧରିଛି। ରାହୁଲଙ୍କ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା, ପ୍ରେମ ଓ ଭଲପାଇବାର ଯାତ୍ରା ବୋଲି କହିଛନ୍ତି ବିଜୟ ପଟ୍ଟନାୟକ।

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସେ ମାନବାଧିକାର କମିଶନ ଭାବେ ନିଯୁକ୍ତ ହୋଇଥିଲେ। ମାନବାଧିକାର କମିଶନ ପଦରୁ ସେ ଇସ୍ତଫା ଦେଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ଯୋଗଦେଇଥିଲେ। ସେଠାରୁ ମଧ୍ୟ ପରବର୍ତ୍ତି ସମୟରେ ଇସ୍ତଫା ଦେଇଥିଲେ। ବିଜୟ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ।

ଖବର ଅନୁସାରେ, ବିଜୟ ପଟ୍ଟନାୟକ ପୂର୍ବରୁ କଂଗ୍ରେସରେ ଯୋଗଦେବେ ବୋଲି ପ୍ରସ୍ତୁତି ସରିଥିଲା। ସେତେବେଳେ ଶରତ ପଟ୍ଟନାୟକ ସଭାପତି ହୋଇ ନ ଥିଲେ। ହେଲେ ସେ ସଭାପତି ହେବା ପରେ ବିଜୟଙ୍କ ମିଶ୍ରଣ ସ୍ଥଗିତ ରହିଥିଲା। ତାଙ୍କୁ ଦଳରେ ସାମିଲ କରିବା ପାଇଁ ଦିଲ୍ଲୀ ସ୍ତରୀୟ ନେତାମାନେ ପ୍ରଚେଷ୍ଠା କରିଥିଲେ। ପୂର୍ବରୁ ୨୦୨୨ରେ ଭୁବନେଶ୍ୱର ବିମାନବନ୍ଦରରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଜୟ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା। ଦୁଇ ଜଣଙ୍କୁ ଏକା ସଙ୍ଗେ ଦେଖିବା ପରେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ବିଜୟ ପଟ୍ଟନାୟକ କଂଗ୍ରେସରେ ମିଶିଥିବାବେଳେ ଓଡ଼ିଶାରେ କଂଗ୍ରେସର ଶକ୍ତିଶାଳୀ ସ୍ତିତି ସୃଷ୍ଟି ହେବ ବୋଲି ଦଳ ଆଶା କରିଛି।

Leave A Reply

Your email address will not be published.