Odisha Link
Bridging the Missing Links in Odisha

ଦିଲ୍ଲୀ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ

ବିବିସି କାର୍ଯ୍ୟାଳୟକୁ ସମ୍ପୂର୍ଣ ସିଲ କରାଯାଇଛି।

ଓଏଲ୍‌ ବ୍ୟୁରୋ : ବିବିସିର ଦିଲ୍ଳୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗ ଦ୍ୱାରା ଚଢ଼ାଉ କରାଯାଇଛି। ଆୟକର ବିଭାଗ (ଆଇଟି)ର ଅଧିକାରୀମାନଙ୍କ ଦଳ ବିବିସି ଇଣ୍ଡିଆର ଦିଲ୍ଳୀ ଓ ମୁମ୍ବାଇରେ ଥିବା ଅଫିସ୍‌ରେ ସର୍ଭେ ଅପରେସନ ଆରମ୍ଭ କରିଛନ୍ତି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଧିକାରୀମାନେ ଚଢ଼ାଉ ସମୟରେ କର୍ମଚାରୀଙ୍କ ମୋବାଇଲ୍‌କୁ ଜବତ କରିବା ସହ ‌ସେମାନଙ୍କୁ ଘରକୁ ପଠାଇ ଦେଇଛନ୍ତି। ବିବିସି କାର୍ଯ୍ୟାଳୟକୁ ସମ୍ପୂର୍ଣ ସିଲ କରାଯାଇଛି।

ଟିଏମସି ସାଂସଦ ମହୁଆ ମୋଇତ୍ରୀ ବିବିସି କାର୍ଯ୍ୟାଳୟ ଉପରେ ଆୟକର ଚଢାଉ ସଂପର୍କରେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। କହିରଖୁ କି କିଛିଦିନ ତଳେ ବିବିସି ତରଫରୁ ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରୀ ଆସିଥିଲା। ଏହି ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜରାଟ ଦଙ୍ଗା ଉପରେ ପର୍ଯ୍ୟବେଶିତ କରାଯାଇଥିଲା। କେନ୍ଦ୍ର ସରକାର ଏହାକୁ ପ୍ରପୋଗେଣ୍ଡା ବୋଲି କହି ଏହାର ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା। ହେଲେ କୋର୍ଟ ଏହି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ।

ସେପଟେ ଆଜିର ଆୟକର ଚଢାଉକୁ ବିରୋଧୀମାନେ ବିବିସି ଡକ୍ୟୁମେଣ୍ଟାରୀ ସହ ଯୋଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଟ୍ବିଟ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରିଛି। ଭିଡିଓରେ ଏଆଇସିସିର ସାଧାରଣ ସଂପାଦକ ଜୟରାମ ରମେଶ କହୁଛନ୍ତି,‘ଆମେ ଏଠାରେ ଆଦାନୀ ମାମଲାରେ ଜେପିସିର ଦାବି କରୁଛି ସେଠା‌ରେ ସରକାର ବିବିସି ପଛରେ ପଡ଼ିଛନ୍ତି। ବିନାଶ କାଳେ ବିପରୀତ ବୁଦ୍ଧି।’

Leave A Reply

Your email address will not be published.