Odisha Link
Bridging the Missing Links in Odisha

ନବ ଦାସ ହତ୍ୟାକାଣ୍ଡ : ଚୌଦ୍ୱାର ଜେଲ୍ ଗଲା ଗୋପାଳ

କୋର୍ଟରେ ଆଜି ଅଭିଯୁକ୍ତ ଗୋପାଳର ମଧ୍ୟ ୧୬୪ ବୟାନ ରେକର୍ଡ

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ଦୁଇ ସପ୍ତାହେ ସରିଥିଲେ ମଧ୍ୟ ହତ୍ୟାର କାରଣ ବର୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିନାହିଁ। ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇ ତଦନ୍ତ ଜାରି କରିଛି କ୍ରାଇମବ୍ରାଞ୍ଚ। ତେବେ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳକୁ ଆଜି ଆଉ ଥରେ କୋର୍ଟରେ ହାଜର କରାଯାଇଥିଲା।

ଗୋପାଳର ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ପାଇଁ ଅପିଲ କରିଥିଲା ଜେଲ୍ ବିଭାଗ। ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଗୋପାଳକୁ କେଉଁ ଜେଲ୍ ନିଆଯିବ ତାହା ଜେଲ୍ ବିଭାଗ ଏଡିଜି ସ୍ଥିର କରିବେ ବୋଲି କୋର୍ଟ କହିଥିବାବେଳେ ଝାରସୁଗୁଡ଼ା ଜେଲରୁ କଡ଼ା ସୁରକ୍ଷାରେ ଗୋପାଳକୁ ଚୌଦ୍ୱାର ଜେଲ ଅଣାଯାଉଛି। କୋର୍ଟରେ ଆଜି ଅଭିଯୁକ୍ତ ଗୋପାଳର ମଧ୍ୟ ୧୬୪ ବୟାନ ରେକର୍ଡ କରାଯାଇଥିଲା। ଏହାକୁ ନେଇ ଗୋପାଳ ଓକିଲ ସୂଚନା ଦେଇଛନ୍ତି।

ପୂର୍ବରୁ, ଗୁଜୁରାଟରୁ ଆସିବା ପରେ ଅଭିଯୁକ୍ତ ଗୋପାଳକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଏବଂ ନାର୍କୋ ଟେଷ୍ଟ ହେବାକୁ ଥିବାବେଳେ ଗୁଜୁରାଟ ଗାନ୍ଧୀନଗରରେ ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ଶେଷ ହୋଇଥିଲା। ଏହି ଟେଷ୍ଟର ରିପୋର୍ଟ ଆସିବା ପରେ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ତେବେ ଟେଷ୍ଟ ସରିବା ପରେ ଗୋପାଳକୁ ଗୁଜୁରାଟରୁ ଓଡିଶାକୁ ଅଣାଯାଇ କୋର୍ଟରେ ହାଜର କରିବା ପରେ ଜେଲକୁ ପଠାଯାଇଥିଲା।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଗୋପାଳର ସ୍ୱାସ୍ଥ୍ୟ ଅବସ୍ଥା ଯୋଗୁ ହତ୍ୟା କରିଥିବା କୁହାଯାଉଥିବାବେଳେ ଅଭିଯୁକ୍ତର ଟେଷ୍ଟ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.