Odisha Link
Bridging the Missing Links in Odisha

‘ଯଦି ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି, ତେବେ ଗାଦି ଛାଡ଼ିଦିଅନ୍ତୁ’

ହତ୍ୟା ପାଇଁ ଆଦେଶ କିଏ ଦେଇଛି, କିଏ ଷଡ଼ଯନ୍ତ୍ର କରିଛି ସାମ୍ନାକୁ ଆସୁନି

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆନ୍ଦୋଳନ କରୁଛନ୍ତି ବିଜେପି ନେତା ଓ କର୍ମୀ। ଆଜି ରାଜଭବନ ଆଗରେ ବିଜେପି ସାଂସଦ ଓ ନେତାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ରାଜଭବନ ସମ୍ମୁଖରେ ହେଉଥିବା ଧାରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଯୋଗ ଦେଇଛନ୍ତି।

ନବ ଦାସଙ୍କ ମୃତ୍ୟୁକୁ ଦୁଇ ସପ୍ତାହ ପୁରିଥିଲେ ମଧ୍ୟ ଘଟଣାର ସତ୍ୟ କାରଣ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ। ଏହାକୁ ନେଇ ବିଜେପି ଆନ୍ଦୋଳନ କରୁଥିବାବେଳେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି , ହତ୍ୟା ପାଇଁ ଆଦେଶ କିଏ ଦେଇଛି, କିଏ ଷଡ଼ଯନ୍ତ୍ର କରିଛି ସାମ୍ନାକୁ ଆସୁନି। ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ନେଇ ସାରା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସତ୍ୟ ସାମ୍ନାକୁ ଆଣିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡିତ କରାଯିବା ଦରକାର। ସେ ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକମାନେ ଅଛନ୍ତି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମନ୍ତ୍ରୀ, ବିଧାୟକଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଉନି। ଏବେ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରିଦିଆଗଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହାକୁ ଚପେଇ ଦେବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି। ଓଡ଼ିଶାର ମା, ଭଉଣୀମାନେ ନିର୍ଯାତନା, ହତ୍ୟାର ଶିକାର ହୋଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି, ତେବେ ଗାଦି ଛାଡ଼ିଦିଅନ୍ତୁ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।

Leave A Reply

Your email address will not be published.