Odisha Link
Bridging the Missing Links in Odisha

ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ; ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କଂଗ୍ରେସ ପ୍ରତିବାଦ ଆରମ୍ଭ କରିଥିଲା

ଓଏଲ୍‌ ବ୍ୟୁରୋ : କାଲିଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ବିଧାନସଭା। ତେବେ ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଲା ବିଧାନସଭା। ଦିନ ୧୧ଟା ୩୦ ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖାଯାଇଛି। ବିଜେପି ଓ କଂଗ୍ରେସ ନବ ଦାସ ହତ୍ୟା ଓ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଲେ। ଶାସକ ବିଜେଡି ସଦସ୍ୟ କେନ୍ଦ୍ରର କୃଷି ମାରଣ ନୀତି ଉଠାଇଲେ। ପୋଷ୍ଟର ଓ ବ୍ୟାନର ଦେଖାଇ ଶାସକ-ବିରୋଧୀ ମୁହାଁମୁହିଁ।

ସୂଚନା ଅନୁସାରେ, ଗତକାଲି ବଜେଟ୍‌ ଅଧିବେଶନରେ ରାଜ୍ୟପାଳ ପ୍ର. ଗଣେଶୀ ଲାଲ ଅଭିଭାଷଣ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମେତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ହକି ବିଶ୍ୱକପ୍ ସଫଳତା ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ସଫଳତା ହାସଲ କରିଛି। ଧାନ ଉତ୍ପାଦନରେ ଓଡ଼ିଶା ଏବେ ସର୍ବାଗ୍ରେ ରହିଛି। ମିଲେଟ ମିଶନ ଜରିଆରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରାଯାଇଛି। କାଳିଆ ଯୋଜନା ଜରିଆରେ ଚାଷୀଙ୍କୁ ସହାୟତା ଦିଆଯାଉଛି। କାଳିଆ ଛାତ୍ରବୃତ୍ତି ଗରିବ ମେଧାବୀ ଛାତ୍ରଙ୍କୁ ସହାୟତା ଦେଉଛି।

ଅନ୍ୟପକ୍ଷେ, ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କଂଗ୍ରେସ ପ୍ରତିବାଦ ଆରମ୍ଭ କରିଥିଲା। ବିଜେପି କକ୍ଷତ୍ୟାଗ କରିଥିଲା।ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ ପରେ ବିଧାନସଭା କକ୍ଷ ପ୍ରବେଶ ପଥରେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ବିଜେପି ସଦସ୍ୟ ଧାରଣା ଦେଇଥିଲେ।

ବିଧାନସଭା ଅଧିବେଶନ ଆରମ୍ଭ ହୋଥିବାବେଳେ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି। ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ରାଜ୍ୟ ଅର୍ଥମନ୍ତ୍ରୀ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସରକାରର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ।

ଅନ୍ୟପକ୍ଷେ, ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ଡିଜିପି ସୁନୀଲ ବଂଶଲ। ବିଧାନସଭା ଅଧିବେଶନ ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୨ ଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ ଏସିପି, ୧୩ ଜଣ ଆଇଆଇସି, ୮୫ ଜଣ ଅଫିସର ଓ ୨୦୦ ଜଣ କନେଷ୍ଟବଳ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.