Odisha Link
Bridging the Missing Links in Odisha

ପନିକିରେ ହାଣି ପତ୍ନୀର ଜୀବନ ନେଲା ସ୍ୱାମୀ

ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ରେଣୁକାଙ୍କୁ ମାରପିଟ କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ହେମତପୁର ଗ୍ରାମରେ ଘଟିଥିବା ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। କଳହରୁ ବର୍ବର କାଣ୍ଡ ଘଟାଇଲା ପିଶାଚ ସ୍ୱାମୀ। ପତ୍ନୀକୁ ପନିକିରେ ହାଣିଦେଲା ସ୍ୱାମୀ। ଛଟପଟ ହୋଇ ଜୀବନ ଯିବା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ନଦୀ କୂଳରେ ଫିଙ୍ଗି ଦେଇଛି ସ୍ୱାମୀ।

ଗତକାଲି ରାତିରେ ଘଟିଥିବା ଏହି ଘଟଣାର ଶିକାର ହୋଇଥିବା ମୃତ ମହିଳା ଜଣକ ହେଲେ ହେମତପୁର ଗ୍ରାମର ୫୦ ବର୍ଷୀୟା ରେଣୁକା ଜେନା। ରେଣୁକାଙ୍କ ହତ୍ୟା କରିଥିବା ସ୍ୱାମୀ ହେଲେ ରନ୍ଥା ଜେନା। ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟା ଅଭିଯୋଗରେ ପୁଲିସ୍‌ ରନ୍ଥା ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଖବର ଅନୁସାରେ, ରନ୍ଥା ଜେନା ଇଟା ଭାଟିରେ କାମ କରି ପରିବାର ଚଳାନ୍ତି। ସେ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ରେଣୁକାଙ୍କୁ ମାରପିଟ କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିବା ଜଣା ପଡିଛି। ଗତକାଲି ରନ୍ଥା ଘରକୁ ଫେରିଥିବା ବେଳେ ଉଭୟ ପତିପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ପାଖରେ ପଡ଼ିଥିବା ପନିକିରେ ରେଣୁକାଙ୍କୁ ହାଣି ଦେଲେ ରନ୍ଥା।

ଛଟପଟ ହୋଇ ରେଣୁକାଙ୍କ ଜୀବନ ଚାଲିଯିବା ପରେ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ନଦୀ କୂଳରେ ଫୋପାଡ଼ି ଦେଇଥିଲେ। ଏନେଇ ମୃତ ମହିଳାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି କରିଛି।

Leave A Reply

Your email address will not be published.