Odisha Link
Bridging the Missing Links in Odisha

ସିବିଆଇ ନୁହେଁ, ଏଫ୍‌ବିଆଇ ତଦନ୍ତ ଦାବି କଲେ ମୁଖ୍ୟମନ୍ତ୍ରୀ

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତିକରଣ କରା ଯାଉଥିବାରୁ ଏହା ମୋତେ ଏବଂ ଓଡ଼ିଶାବାସୀଙ୍କୁ ବାଧିଛି

ଓଏଲ୍‌ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏହି ହାଇଭୋଲଟେଜ ହତ୍ୟାକାଣ୍ଡ ଘଟଣାକୁ ପାଖା ପାଖି ମାସେ ପୁରିବାକୁ ବସିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ହେଲେ କେଉଁ କାରଣରୁ ନବ ଦାସଙ୍କୁ ହତ୍ୟା କରାଯାଇଛି ସେ ନେଇ ଠୋସ୍‌ ପ୍ରମାଣ ଖୋଜିପାଇନି କ୍ରାଇମବ୍ରାଞ୍ଚ। ଅନ୍ୟପଟେ ନବ ଦାସ ହତ୍ୟା ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଗତକାଲିଠୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ସତ୍ତ୍ବେ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ବାରମ୍ବାର ଗୃହ ମୁଲତବୀ ହେଉଛି। ଏସବୁ ମଧ୍ୟରେ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ତଦନ୍ତରେ ସହାୟତା ପାଇଁ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସହାୟତା ମାଗିଛି। ଏ ନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି। ଅଭିଯୁକ୍ତର ଆଚରଣର ତଦନ୍ତ ପାଇଁ ଏଫବିଆଇର ସହାୟତା ନିଆଯାଇଛି। ତଦନ୍ତର କୌଣସି ଦିଗକୁ ବି ଛଡା ଯାଉନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଥିସହିତ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତିକରଣ କରା ଯାଉଥିବାରୁ ଏହା ମୋତେ ଏବଂ ଓଡ଼ିଶାବାସୀଙ୍କୁ ବାଧିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ନବ ଦାସଙ୍କୁ ଜଣେ ପୁଲିସ କର୍ମୀ ହତ୍ୟା କରିଥିବା ଖବର ଶୁଣି ସମସ୍ତଙ୍କ ଭଳି ମୁଁ ମଧ୍ୟ ଚକିତ ହୋଇଥିଲି ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଏବେ ଜାରି ରହିଛି। ନବ ଦାସଙ୍କୁ କିଭଳି ନ୍ୟାୟ ମିଳିବ ସେଥିପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି। କିନ୍ତୁ ଭାରତୀୟ ଜନତା ପାର୍ଟି ଏହାକୁ ରାଜନୀତିର ରୂପ ଦେବା ସହ ପୁଲିସ ବିଭାଗକୁ ବଦନାମ କରୁଛି।

ଭାରତ ୭୫ ବର୍ଷର ଏକ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଓଡିଶାରେ ଅତ୍ୟନ୍ତ ପରିପକ୍ବ ତଥା ଉଚ୍ଚମାନର ରାଜନୈତିକ ବିଚାର ଆଲୋଚନାର ବଳିଷ୍ଠ ପରମ୍ପରା ରହିଛି । ଏହି କେସ୍‌ର ଯେଉଁ ଢଙ୍ଗରେ ରାଜନୈତିକ ଆଲୋଚନା କରାଯାଉଛି, ତାହା ଅତ୍ୟନ୍ତ ଚିନ୍ତାଜନକ। ଗୋଟିଏ ସମ୍ବେଦନଶୀଳ ଅପରାଧ ଉପରେ ରାଜନୀତି ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ମୁଁ ଗଭୀର ଭାବରେ ବ୍ୟଥିତ ଯେ ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ହେଉଛି ଜଣେ ପୁଲିସ କର୍ମଚାରୀ। ଏହି ଅଭିଯୁକ୍ତକୁ ତୁରନ୍ତ ଚାକିରୀରୁ ବରଖାସ୍ତ କରାଯିବା ସହିତ ତାକୁ ଆଇନର କାଠଗଡା ଭିତରକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଅତୀତରେ ଏହିଭଳି ଦୁର୍ଭାଗ୍ୟଜନକ ମର୍ମନ୍ତୁଦ ଘଟଣା ସାମରିକ ବାହିନୀ ତଥା କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହୀନୀରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି। କିନ୍ତୁ, କେବେ ବି ଏଥିପାଇଁ ପୁରା ସାମରିକ ବା ପୁଳିସ ବାହୀନୀକୁ ନିନ୍ଦିତ କରିବାପାଇଁ ଉଦ୍ୟମ ହୋଇନାହିଁ। ଆମ ଦେଶ ସବୁବେଳେ ଆମର ସାହସୀ ଜବାନ ମାନଙ୍କ ସହିତ ଦୃଢ ଭାବରେ ଠିଆ ହୋଇଛି। ଦୁର୍ଭାଗ୍ୟର କଥା ଯେ ରାଜ୍ୟ ବିଜେପି ଏ ଘଟଣାରେ ରାଜ୍ୟ ପୋଲିସକୁ ନିନ୍ଦିତ କରିବା ପାଇଁ ଉଦ୍ୟମ କରୁଛି। ରାଜ୍ୟ ବିଜେପି ଓଡିଶାର ଯୁବଶକ୍ତିର ଅପମାନ କରିଛି। ଓଡିଶାବାସୀ ଏଥିପାଇଁ କେବେ ବି କ୍ଷମା ଦେବେ ନାହିଁ।

ଜଣେ ପୁଲିସ କର୍ମଚାରୀଙ୍କ କାର୍ଯ୍ୟ ଯୋଗୁଁ ସମଗ୍ର ପୁଳିସ ବାହୀନୀକୁ ଅଯଥାରେ ଅପରାଧୀ ଆଖ୍ୟା ଦିଆଯାଇଛି। ଏହା ହେଉଛି ରାଜ୍ୟ ପୁଲିସ ଓ ଗୃହରକ୍ଷୀ ବାହିନୀରେ କାର୍ଯ୍ୟରତ ୯୦ ହଜାର ଓଡିଆ ଯୁବକଯୁବତୀ ଓ ସେମାନଙ୍କ ପରିବାର ପାଇଁ ଅପମାନ। ଓଡିଶାର ଜନସାଧାରଣଙ୍କର ଧନଜୀବନ ସୁରକ୍ଷା ପାଇଁ ଦିନରାତି କାମ କରୁଥିବା ତଥା ଗତ ଦୁଇ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦୀମାନଙ୍କ ସହିତ ଲଢେଇ କରି ପ୍ରାଣବଳି ଦେଇଥିବା ଶହ ଶହ ପୋଲିସ କର୍ମଚାରୀ ମାନଙ୍କ ପ୍ରତି ଏହା ହେଉଛି ସଂପୂର୍ଣ୍ଣ ଭାବରେ ସମ୍ବେଦନହୀନତା ଓ ରାଜନୈତିକ ସୁବିଧାବାଦର ପରିଚାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆମ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ଆମ ପୁଲିସ ବାହିନୀ ଯେଭଳି ପ୍ରଶଂସନୀୟ କାର୍ଯ୍ୟ କରିଛି, ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି। ଏକ ପରିପକ୍ବ ଗଣତନ୍ତ୍ର ଭାବରେ ଆମେ ଅନାବଶ୍ୟକ ଭାବରେ ରାଜ୍ୟ ଶାସନ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଅଂଗ ଗୁଡିକ ନିନ୍ଦିତ କରିବା ଓ ଭୟଙ୍କର ଭାବରେ ଚିତ୍ରଣ କରିବାରୁ ବିରତ ରହିବା ଉଚିତ। ଆମର ଅନେକ ଏପରି ବିଷୟ ଅଛି ଯେଉଁଥିରେ କି ଆମେ ଭିନ୍ନମତ ହେବା, ଯୁକ୍ତି କରିବା ବା ବିତର୍କ ମଧ୍ୟ କରିପାରିବା; କିନ୍ତୁ ଆମେ କେବେ ବି ଏକ ସମ୍ବେଦନଶୀଳ ଘଟଣା ଉପରେ ରାଜନୀତି କରିବା ଉଚିତ ନୁହେଁ।

ମୋ ସରକାରର ଏକମାତ୍ର ଲକ୍ଷ୍ୟ ହେଉଛି ଏହିଭଳି ଅପରାଧ କରୁଥିବା ଅପରାଧୀମାନଙ୍କୁ ଆଇନର କାଠଗଡାକୁ ଆଣିବା ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବା । ଓଡିଶାବାସୀ ବାରମ୍ବାର ମୋ ଉପରେ ବିଶ୍ବାସ ରଖିଛନ୍ତି ଓ ଦାୟିତ୍ବ ଅର୍ପଣ କରିଛନ୍ତି ଏବଂ ମୁଁ ବିନା ଭୟ ବା ପକ୍ଷପାତରେ ସେମାନଙ୍କର ଏହି ଭରସାକୁ ବଜାୟ ରଖିବା ପାଇଁ କାମ କରିଚାଲିଛି। ମୁଁ ପୁଣି ଥରେ ନବକିଶୋର ଦାସଙ୍କ ଶୋକାକୁଳ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ ଆଜି ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ବିଧାନସଭା ବାରମ୍ବାର ମୁଲତବୀ ରଖାଯାଇଥିଲା। ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।

ସୂଚନାଥାଉ କି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି। ଏହି ମାମଲାରେ ବିରୋଧୀ ୫ଟି ସଚିବ ପାଣ୍ଡିଆନ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଟାଣିଥିବାବେଳେ ଶାସକ ଦଳ ବିଜେଡି ଏହି ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛନ୍ତି।

Leave A Reply

Your email address will not be published.