Odisha Link
Bridging the Missing Links in Odisha

‘ନବ ଦାସଙ୍କ ହତ୍ୟା ଘଟଣାରେ ପଶ୍ଚିମ ଓଡ଼ିଶାର ବାହୁବଳୀ ନେତାଙ୍କ ସଂପୃକ୍ତି ରହିଛି’

ଗୋପାଳ ପାଗଳ ନା ପାଗଳ କରିବାକୁ ଚେଷ୍ଟା କରାଯାଉଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏହି ହାଇଭୋଲଟେଜ ହତ୍ୟାକାଣ୍ଡ ଘଟଣାକୁ ପାଖା ପାଖି ମାସେ ପୁରିବାକୁ ବସିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ହେଲେ କେଉଁ କାରଣରୁ ନବ ଦାସଙ୍କୁ ହତ୍ୟା କରାଯାଇଛି ସେ ନେଇ ଠୋସ୍‌ ପ୍ରମାଣ ଖୋଜିପାଇନି କ୍ରାଇମବ୍ରାଞ୍ଚ। ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏନେଇ ବିସ୍ଫୋରକ ବୟାନ ରଖିଛନ୍ତି କଂଗ୍ରେସ ନେତା ତାରା ବାହିନୀପତି।

ସେ କହିଛନ୍ତି, ହତ୍ୟା ଘଟଣାରେ ପଶ୍ଚିମ ଓଡ଼ିଶାର ବାହୁବଳୀ ନେତାଙ୍କ ସଂପୃକ୍ତି ରହିଛି। ସେହି ବାହୁବଳୀ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ସଂପୃକ୍ତ ବାହୁବଳୀ ନେତାଙ୍କ ସହ ପଡୁ ନଥିବା ନବ ମୋତେ କହୁଥିଲେ। କାହିଁକି ନବଙ୍କୁ ହତ୍ୟା କରାଗଲା ରାଜ୍ୟ ସରକାର ସ୍ପଷ୍ଟ କରୁ ନାହାନ୍ତି। ଗୋପାଳ ପାଗଳ ନା ପାଗଳ କରିବାକୁ ଚେଷ୍ଟା କରାଯାଉଛି। ବିଜେଡିର ଜଣେ ନେତା ମାରିବା ଭଳି ଲାଗୁଛି। ହତ୍ୟା ଘଟଣାରେ ଅବସରପ୍ରାପ୍ତ ଜଜ୍‌ଙ୍କୁ ପ୍ରଭାବିତ କରାଯାଇପାରେ ବୋଲି କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି। ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଏସଆଇଟି ତଦନ୍ତ ଦାବି କରିଛନ୍ତି ତାରା ବାହିନୀପତି।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ବର୍ତ୍ତମାନ ସୁଦ୍ଧା ଗୋପାଳ ନବ ଦାସଙ୍କୁ ହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ ସ୍ଥାନାନ୍ତର କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.