Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ମା’ଛେଉଣ୍ଡ ହେଲା ଝିଅ

ମା ଏବଂ ଝିଅ ସ୍କୁଟିରେ ଯାଉଥିବାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି।

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲା ବିଞ୍ଛାରପୁର ଥାନା ଅନ୍ତର୍ଗତ ମଇନ୍ଦା ପେଟ୍ରୋଲ ପମ୍ପ ଛକ ନିକଟରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ଡମ୍ପର ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମା ଏବଂ ଝିଅ ସ୍କୁଟିରେ ଯାଉଥିବାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି।

ସୂଚନା ଅନୁସାରେ, ଡମ୍ପର ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଲେ ବିଞ୍ଝାରପୁର ବ୍ଲକ୍ ବାଣପୁର ଗ୍ରାମର ସ୍ୱର୍ଣ୍ଣଲତା ରାଉତ। ସ୍ୱର୍ଣ୍ଣଲତା ଓ ତାଙ୍କ ଝିଅ କୌଣସି କାମରେ ନିକଟସ୍ଥ ବଜାରକୁ ଆସିଥିଲେ। କାମ ସାରି ଦିନ ପ୍ରାୟ ପାଖାପାଖି ୧୨ଟା ବେଳେ ମା’ ଝିଅ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଝିଅ ସ୍କୁଟି ଚଳାଉଥିବା ବେଳେ ପଛରେ ବସିଥିଲେ ମା’।

ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ପେଟ୍ରୋଲ ପମ୍ପ ଛକ ନିକଟରେ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ସ୍ୱର୍ଣ୍ଣଲତା ପଡ଼ିଯିବାରୁ ତାଙ୍କ ଉପରେ ଚଢ଼ି ଯାଇଥିଲା ଡମ୍ପର। ଘଟଣାସ୍ଥଳରେ ସ୍ୱର୍ଣ୍ଣଲତାଙ୍କ ଜୀବନ ଚାଲି ଯାଇଥିବା ବେଳେ ଦୂରକୁ ଛିଟିକି ପଡ଼ିଥିବା ତାଙ୍କ ଝିଅ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି।

ସଡ଼କ ଦୁର୍ଘଟଣା ଘଟାଇଥିବା ଡମ୍ପର ଚାଳକ ଗାଡ଼ି ସହ ଫେରାର ଘଟଣାସ୍ଥଳରୁ ହୋଇ ଯାଇଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍‌ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ଘଟିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

Leave A Reply

Your email address will not be published.