Odisha Link
Bridging the Missing Links in Odisha

ବଢୁଛି ତାତି ; ମାର୍ଚ୍ଚ ପହିଲାରୁ ରାଜ୍ୟରେ ପ୍ରବଳ ଖରା ଆଶଙ୍କା

ଏଇ ମାସ ଶେଷକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି।

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ମାସ ଶେଷ ନହଉଣୁ ଅସହ୍ୟ ହେଲାଣି ତାତି। ଗରମରେ କଲବଲ ହେଲେଣି ଓଡ଼ିଶାର ବିଭିନ୍ନ ଅଞ୍ଚଳବାସୀ। ଏବେଠୁ କଲବଲ କଲାଣି ଖରା। ଉପକୂଳରେ ପ୍ରବଳ ତାତି ସହ ବହୁଛି ଝାଞ୍ଜି ପବନ। ରାଜ୍ୟରେ ଗତ ନଭେମ୍ବରରୁ ବର୍ଷା ହୋଇନଥିବାରୁ ମାଟି ଶୁଷ୍କ ରହିଛି। ବାୟୁ ଚଳାଚଳ ମଧ୍ୟ ସଠିକ ଭାବରେ ହୋଇପାରୁନାହିଁ। ତେଣୁ ପ୍ରଚଣ୍ଡ ଖରାରେ ସହ ବିଭିନ୍ନ ସ୍ଥାନରେ ଝାଞ୍ଜି ପବନ ବହୁଛି।ବର୍ତମାନ ଠାରୁ ଯଦି ଏଭଳି ତାପମାତ୍ରା ବଢିଚାଲେ ତେବେ ମାର୍ଚ୍ଚ ପହିଲାରୁ ରାଜ୍ୟରେ ପ୍ରବଳ ଖରା ହେବ ବୋଲି ଆଶଙ୍କା କରାଯାଉଛି।

ଗତ କିଛି ଦିନ ହେଲା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତିର ହାବଭାବରୁ ଏହାର ସ୍ପଷ୍ଟ ସଂକେତ ମିଳି ସାରିଲାଣି। ଶୁକ୍ରବାର ଦିନ ମାଲକାନଗିରି ଓ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟ ଓ ରାଜଧାନୀରେ ଏଭଳି ତାତି ଜାରି ରହିବ। ଓଡ଼ିଶା ଉପକୂଳ ନିକଟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ହେତୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡିଗ୍ରି ଯାଏ ଅଧିକ ରହିପାରେ।

ମାର୍ଚ୍ଚ ପହିଲାରୁ ଅନେକ ସ୍ଥାନର ତାପମାତ୍ରା ଏକାବେଳକେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।। ଏଇ ମାସ ଶେଷକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ଫେବ୍ରୁଆରୀ ମାସ ଶେଷ ନହେଉଣୁ ଏପରି ତାତି ହେବାକୁ ନେଇ ଆଗକୁ ଆହୁରି ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Leave A Reply

Your email address will not be published.