Odisha Link
Bridging the Missing Links in Odisha

ହିନ୍ଦୋଳ ଓ ଅତାବିରା ଏନ୍‌ଏସିରେ ହେବ ନିର୍ବାଚନ, ଏପ୍ରିଲ୍‌ ୩ରେ ପଡ଼ିବ ଭୋଟ

ଓଏଲ୍‌ ବ୍ୟୁରୋ: ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠିତ ହେବ ଏନ୍‌ଏସି ନିର୍ବାଚନ। ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିର ଏନ୍‌ଏସିର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଥିବା ବେଳେ ତା’ପୂର୍ବରୁ ଏହି ଦୁଇ ସ୍ଥାନରେ ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟର ଏହି ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ୍ ହେବ। ଏନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏପ୍ରିଲ ୫ ତାରିଖରେ ଏହି ଏନଏସି ନିର୍ବାଚନର ଭୋଟ୍ ଗଣତି ହେବା ସହିତ ଫଳାଫଳ ପ୍ରକାଶ ପାଇବ।

ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୯ରୁ ଆଶାୟୀମାନେ ନାମାଙ୍କପତ୍ର ଦାଖଲ କରିପାରିବେ। ଏହା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୨୦ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ତା’ପରେ ଏପ୍ରିଲ ୩ରେ ଭୋଟ୍ ଗ୍ରହଣ ହେବ ଓ ୫ ତାରିଖରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଏହା ପରେ ଏପ୍ରିଲ ୧୯ ତାରିଖରେ ଏନ୍‌ଏସି ଉପାଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ଦୁଇଟି ଯାକ ଏନଏସିରେ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ଫେବ୍ରୁଆରୀ ୨୮ ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ନିର୍ବାଚନ କମିଶନ କହିଛନ୍ତି।