Odisha Link
Bridging the Missing Links in Odisha

୩ ବର୍ଷରେ ନଦୀ ନେଇଛି ୯୭୦ ଜଣଙ୍କ ଜୀବନ: ତୁଷାରକାନ୍ତି ବେହେରା

ଦୁର୍ଘଟଣାକୁ ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସୌଭିକ ବିଶ୍ୱାଳ।

ଓଏଲ୍‌ ବ୍ୟୁରୋ: ଜାରି ରହିଛି ବିଧାନସଭା ଅଧିବେସନ। ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ହୋଇଥିଲା। ବିରୋଧୀଙ୍କ ହୋହଲ୍ଲା ପାଇଁ ଗୃହ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଗୃହରେ ବିଧାୟକ ସୌଭିକ ବିଶ୍ୱାଳ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ବିଭିନ୍ନ ସହର ନିକଟରେ ଥିବା ନଦୀମାନଙ୍କରେ ଗାଧୋଇବା ସମୟରେ ଗତ ୩ ବର୍ଷ ମଧ୍ୟରେ କେତେ ଜଣ ବୁଡିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ମୃତ୍ୟୁବରଣ କରିଛନ୍ତି ଓ କେତେଜଣଙ୍କୁ ଉଦ୍ଧାର କରାଯାଇଛି। ଏପରିକି ଏଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସୌଭିକ ବିଶ୍ୱାଳ।

ଗୃହରେ ଏହାର ଲିଖିତ ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ବିଗତ ୩ ବର୍ଷରେ ୯୭୦ ଜଣ ନଦୀରେ ଗାଧୋଇବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି। ୩ ବର୍ଷରେ ୧୬୧୫ ଜଣ ବୁଡିଥିବା ବେଳେ ୬୧୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୯୭୦ ଜଣ ମୃତ୍ୟୁବରଣ କରିଛନ୍ତି। ନଦୀ ନିକଟରେ ଥିବା ବିଭିନ୍ନ ବିପଦଶଙ୍କୁଳ ସ୍ଥାନରେ ପର୍ବପର୍ବାଣି ସମୟରେ ସତର୍କତା ଅବଲମ୍ବନ ପାଇଁ ଆବଶ୍ୟକୀୟ ଅଗ୍ନିଶମ ଓ ଜରୁରୀକାଳୀନ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ଉପକରଣ ସହ ମୁତୟନ କରାଯାଇଥାଏ ବୋଲି କହିଛନ୍ତି ମନ୍ତ୍ରୀ।

ଅନ୍ୟପକ୍ଷେ, ବିଧାନସଭାରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ହଟ୍ଟଗୋଳ ହୋଇଥିବା ସୂଚନା ମିଳିଥିଲା। ଗୃହର ମଧ୍ୟ ଭାଗକୁ ଆସି ବିଜେପି ଏବଂ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ। ପିଲାଙ୍କ ଭବିଷ୍ୟତ ସହ କିଏ ଖେଳୁଛି ବୋଲି କହି ନାରାବାଜି କରିଥିଲେ ବିରୋଧୀ ସଦସ୍ୟ। ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ସେମାନେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

Leave A Reply

Your email address will not be published.