Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ଯାହାକୁ ନିର୍ଦ୍ଦେଶ ଦେବେ, ଆମେ ତାଙ୍କୁ ସମର୍ଥନ ଦେବୁ: ଦିପାଳୀ ଦାସ

ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ ପ୍ରକ୍ରିୟା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏହାରି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱର୍ଗତ ନବଦାସଙ୍କ ଝିଅ ଦିପାଳୀ ଦାସ।

ନବ ଦାସଙ୍କ ଝିଅ କହିଛନ୍ତି ଯେ, ଆଜି ଦିନ ଆମ ପରିବାର ପାଇଁ ସ୍ୱତନ୍ତ୍ର। ଆଜିର ଦିନରେ ଆଖି ବୁଜିଥିଲେ ପିତା। ଆଉ ଆଜିର ଦିନରେ ହିଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଝାରସୁଗୁଡା ପାଇଁ ସ୍ୱର୍ଗତ ନବ ଦାସଙ୍କ ଅବଦାନ ଥିଲା ଅତୁଳନୀୟ। ଝାରସୁଗୁଡାବାସୀଙ୍କ ପାଇଁ ଅହରହ ସ୍ୱପ୍ନ ଦେଖୁଥିଲେ, ସାଥିରେ ଥିଲେ। ତେଣୁ ଆଗାମୀ ଦିନରେ ଯିଏ ବି ଝାରସୁଗୁଡା ପାଇଁ ବିଜୁ ଜନତା ଦଳ ରତଫରୁ ପ୍ରାର୍ଥୀ ହେବ, ସେ କାମ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ନିଷ୍ପତ୍ତି ନେବେ। ଆମେ ଲୋକଙ୍କ ସହ ଅଛୁ, ଲୋକଙ୍କ ପାଇଁ କାମ କରିବୁ। ଝାରସୁଗୁଡାବାସୀଙ୍କ ଭଲପାଇବା, ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ତାଙ୍କ ପରିବାର ଉପରେ ଥିବା କହିଛନ୍ତି ଦିପାଳୀ ଦାସ।

ଖବର ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ପଦ ଖାଲି ରହିଛି। ତେବେ ଏହି ପଦବୀ ପୂରଣ ପାଇଁ ଝାରସୁଗୁଡାରେ ଉପ-ନିର୍ବାଚନ ହେବ। ଉପ-ନିର୍ବାଚନକୁ ନେଇ ଝାରସୁଗୁଡାରେ କେଉଁ ଦଳ ଉପ-ନିର୍ବାଚନରେ ବାଜିମାତ କରିବ ଦେଖିବାକୁ ବାକି ରହିଲା। ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ହେବାକୁ ଥିବା ବେଳେ ମେ’୧୩ରେ ଫଳାଫଳ ପ୍ରକାଶ ପାଇବ। ତେବେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଆସନ୍ତା ୨୦ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବାବେଳେ ୨୧ ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୪ ଏପ୍ରିଲ।