ମଧ୍ୟାହ୍ନ ଭୋଜନରେ ଅବହେଳା, ଧାରଣା ଦେଲେ ଛାତ୍ରଛାତ୍ରୀ
ଶେଷରେ ବସିଥିବା ୧୫ ଜଣ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କୁ କିନ୍ତୁ ଖାଇବା ମିଳିନଥିଲା।

ଓଏଲ୍ ବ୍ୟୁରୋ: ସରକାରି ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ପାଇଁ ଦେଉଥିବା ମଧ୍ୟାହ୍ନ ଭୋଜନରେ ପୁଣି ଅବହେଳା। ମଧ୍ୟାହ୍ନ ଭୋଜନରେ ଭାତ ସାଙ୍ଗକୁ ତରକାରୀ ନମିଳିବାରୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍ ଅଫିସ୍ରେ ପହଞ୍ଚି ଧାରଣାରେ ବସିଥିବା ଖବର ସାମ୍ନାକୁ ଆସିଥିଲା। ବିଡିଓଙ୍କ ଦେଖାନକଲେ ଉଠିବେ ନାହିଁ ବୋଲି ଶୁଣାଇଦେଲେ। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକର ବିନୋଦ ବିହାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏନେଇ ଧାରଣାରେ ବସିଥିଲେ।
ଖବର ଅନୁସାରେ, ପ୍ରତିଦିଭି ଭଳି ମଧ୍ୟ ଆଜି ମଧ୍ୟ ପିଲାମାନଙ୍କ ପାଇଁ ରନ୍ଧା ଖାଦ୍ୟ ଆସିଥିଲା। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଖାଦ୍ୟ ପ୍ରସ୍ତୁତ କରି ସ୍କୁଲକୁ ଆଣିଥିଲା। ନିର୍ଦ୍ଧାରିତ ସମୟରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ସବା ଶେଷରେ ବସିଥିବା ୧୫ ଜଣ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କୁ କିନ୍ତୁ ଖାଇବା ମିଳିନଥିଲା। ସେମାନଙ୍କୁ ଖାଇବା ପାଇଁ କେବଳ ଭାତ ଦିଆଯାଇଥିଲା।
ପିଲାମାନେ ତରକାରୀ ମାଗିବାରୁ ନାହିଁ ବୋଲି ଖାଦ୍ୟ ବଣ୍ଟନ ଦାୟିତ୍ୱରେ ଥିବା ପାଚିକା ଓ ସହାୟିକା କହିଥିବା ଅଭିଯୋଗ ହୋଇଥିଲା। ନିୟମିତ ଏମିତି ହେଉଥିବାରୁ ପିଲାମାନେ ରାଗିଯାଇ ଥାଳିରେ ଭାତ ଧରି ବିଡିଓ ଅଫିସ୍ ଅଭିମୁଖେ ଚାଲିଥିଲେ। ପ୍ରାୟ ଦେଢ଼ କିମି ଚାଲିବା ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ଭାତ ଥଳି ରଖି ଧାରଣାରେ ବସିଥିଲେ।