Odisha Link
Bridging the Missing Links in Odisha

ରିଲିଜ ହେଲା ଓଡ଼ିଆ ଫିଲ୍ମ ‘ଡେଲିଭରୀ ବୟ’, ଦର୍ଶକଙ୍କ ମନକୁ ଛୁଇଁଲା ଏହି ଚଳଚ୍ଚିତ୍ର

ଭୁବନେଶ୍ୱର ମହାରାଜା ହଲରେ ଆଜି ପ୍ରିମିୟର ଶୋ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା।

ଓଏଲ୍‌ ବ୍ୟୁରୋ: ଓଡିଆ ଭାଷାରେ ନିର୍ମିତ ଭିନ୍ନ ଏକ କାହାଣୀକୁ ନେଇ ସିନେମା ହଲରେ ଆଜି ରିଲିଜ ହୋଇଛି ଡେଲିଭରି ବୟ। ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଥିଲେ। ନିଚ୍ଛକ ଏବଂ ସତନ୍ତ୍ର କାହାଣୀ ଆଧାରରେ ପ୍ରସ୍ତୁତ ହୋଇଛି ଏହି ଓଡ଼ିଆ ଫିଲ୍ମ।

ଭୁବନେଶ୍ୱର ମହାରାଜା ହଲରେ ଆଜି ପ୍ରିମିୟର ଶୋ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା। ଅଭିନେତା, ଅଭିନେତ୍ରୀଙ୍କ ସହ କଳାକାଳଙ୍କୁ ସିନେମା ହଲ ପରିସରରେ ଦେଖିବାକୁ ମିଳିଥିଲା। ଏହି ସିନେମାରେ ବୁଦ୍ଧାଦିତ୍ୟ, ସୂର୍ଯ୍ୟମୟୀ, ଶୈଳେନ୍ଦ୍ର, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ, ପ୍ରିୟମ୍ବଦା ଓ ପୁପୁଲ୍ ପ୍ରମୁଖ ଅଭିନୟ କରିଛନ୍ତି।

ସୂଚନା ଅନୁସାରେ, ସହରାଞ୍ଚଳର ଦୈନନ୍ଦିନ ଜୀବନରେ ଡେଲିଭରୀ ବୟମାନଙ୍କ ଭୂମିକା ଅପରିହାର୍ୟ୍ୟ ହୋଇଯାଇଛି। ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ‘ଡେଲିଭରୀ ବୟ’ ମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ। ଏହି ଚଳଚ୍ଚିତ୍ରଟି ଏହିପରି ଡେଲିଭରୀ ବୟମାନଙ୍କ ଜାବନ ଉପରେ ଆଧାରିତ।

ଓଡିଆ ଭାଷାରେ ନିର୍ମିତ ଏହି ଫିଲ୍ମଟିରେ ଜଣେ ଡେଲିଭରୀ ବୟ କିପରି ସଡକ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀମାନଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷକରି ବିଜୟୀ ହୋଇଛନ୍ତି ତାହା ଖୁବ ନିଖୁଣ ଭାବରେ ପ୍ରଦର୍ଶିତ ହୋଇଛି। ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଟିରେ ଉଦ୍ୟମ କରାଯାଇଛି। ଏଥିରେ ସମାଜର ସବୁ ଶ୍ରେଣୀର ଦର୍ଶକଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିବାର ଆଶା ରହିଥିବାବେଳେ ପ୍ରଥମ ଦିନରେ ଚଳଚିତ୍ର ଦର୍ଶକଙ୍କ ମନକୁ ଛୁଇଁଥିବା କୁହାଯାଉଛି।

Leave A Reply

Your email address will not be published.