Odisha Link
Bridging the Missing Links in Odisha

୧୪୪ ଧାରା ସତ୍ତ୍ୱେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ହେବ ଶୋଭାଯାତ୍ରା

ବୃକ୍ସପାଲ ସ୍ଥିତ ହନୁମାନ ମନ୍ଦିରରୁ ସନ୍ଧ୍ୟାରେ ଏହି ଭବ୍ୟ ଶୋଭାଯାତ୍ରା ବାହାରିବା କାର୍ଯ୍ୟକ୍ରମ ରହିଛି।

ଓଏଲ୍‌ ବ୍ୟୁରୋ: ଆଜି ମହାବିଷୁବ ପଣାସଂକ୍ରାନ୍ତି ସହ ଆଉ ଏକ ପବିତ୍ର ଦିନ। ମହାବୀର ହନୁମାନଙ୍କ ଜୟନ୍ତୀ। ପଣାସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯାଏ। ଏହି ପର୍ବ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ପାଳନ କରାଯାଏ। ବୀର ବଜରଙ୍ଗଙ୍କ ଜନ୍ମତ୍ସୋବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ହନୁମାନ ଜୟନ୍ତୀରେ ସମ୍ବଲପୁର ସହରରେ ବାହାରିବ ଶୋଭାଯାତ୍ରା। ବୃକ୍ସପାଲ ସ୍ଥିତ ହନୁମାନ ମନ୍ଦିରରୁ ସନ୍ଧ୍ୟାରେ ଏହି ଭବ୍ୟ ଶୋଭାଯାତ୍ରା ବାହାରିବା କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ, ସମ୍ବଲପୁରରେ ଜାରି ରହିଛି ୧୪୪ ଧାରା। ଚାରିଆଡେ ପୁଲିସ ଛାଉଣୀ। ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯାଇଛି। ସଂଧ୍ୟାରେ ଶୋଭାଯାତ୍ରା ଦୃଷ୍ଟିରୁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ମୋତିଝରଣ ରାସ୍ତା ଦେଇ ଗେଙ୍ଗୁଟିପାଲି ଯାଏ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଶୋଭାଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।

ଆଜି ବିଭିନ୍ନ ହନୁମାନ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଜାରି ରହିବ। ଏପରିକି କେତେକ ମନ୍ଦିରରୁ ସନ୍ଧ୍ୟାରେ ଏବଂ ଅନ୍ୟ କେତେକ ମନ୍ଦିରରୁ ଅପରାହ୍ଣରେ ଶୋଭାଯାତ୍ରା ବାହାରିବାର କାର୍ଯ୍ୟକ୍ରମ ରହଛି। ସହରରେ ଅଶାନ୍ତ ପରିସ୍ଥିତି ଉପୁଜିଥିବାରୁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଯେଉଁ ଯେଉଁ ରାସ୍ତା ଦେଇ ଶୋଭାଯାତ୍ରା ଯିବ ସେସବୁ ଅଞ୍ଚଳରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.