Odisha Link
Bridging the Missing Links in Odisha

ସମ୍ବଲପୁରରେ ଆଜିକୁ ୭ ଦିନ ହେବ ମିଳୁନି ଇଣ୍ଟରନେଟ୍‌ ସେବା, ଏବେ ଅଖଚକ ବନ୍ଦ

ପଶ୍ଚିମ ଓଡ଼ିଶା ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦପାଳନ ଲାଗି ଡାକରା ଦେଇଥିଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ।

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ପଶ୍ଚିମ ଓଡ଼ିଶା ସମେତ ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦପାଳନ ଲାଗି ଡାକରା ଦେଇଥିଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ। ଏହାକୁ ହିନ୍ଦୁ ମହାସଭା ବି ସମର୍ଥନ କରୁଥିବା ଜଣାଯାଇଛି। ତେବେ ଏହି ବନ୍ଦ ପାଇଁ ଅଖଚକ ବନ୍ଦ ହୋଇଥିବା ଜଣା ପଡିଛି।

ଅନ୍ୟପକ୍ଷେ, ଆଜି ୭ଦିନ ହେବ ସହରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ପଥରମାଡ଼ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଗତ ଗୁରୁବାର ଠାରୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା। ହେଲେ ରବିବାର ସହରରେ ଆଉ ଥରେ ହିଂସାକାଣ୍ଡ ଫେରିବା ଆଜି ପୁଣି ଥରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ଘୋଷଣା ହୋଇଛି।

ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ସରୁଥିଲା। ଦୀର୍ଘ ୬ ଦିନ ଧରି ଇଣ୍ଟରନେଟ୍ ସେବାରୁ ସମ୍ବଲପୁରବାସୀ ବଞ୍ଚିତ ଥିବାରୁ ଆଜି କଟକଣା ହଟିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଅବଧିକୁ ଆଉ ୨୪ ଘଣ୍ଟା ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ କିଛି ଅଞ୍ଚଳରେ ଇଣ୍ଟରନେଟ୍ ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଲିଜ୍ ଲାଇନ୍ ନେଇଥିବା ବ୍ୟବସାୟିକ ଅନୁଷ୍ଠାନରେ ଚାଲୁ ରହିବ ଇଣ୍ଟରନେଟ୍। କୁଚିଣ୍ଡା, ରେଢ଼ାଖୋଲ, ନାକଟିଦେଉଳ, ଯୁଯୁମରା, ବାମରା ଓ ଯମନକିରା ଅଞ୍ଚଳରେ ଇଣ୍ଟରନେଟ୍ ସେବା ଉପଲବ୍ଧ ଥିବା ସୂଚନା ରହିଛି।

Leave A Reply

Your email address will not be published.