Odisha Link
Bridging the Missing Links in Odisha

ତିନିଠାକୁରଙ୍କୁ କିଏ ନେଇଯିବ, ନବୀନ ସରକାର ଜାଣିପାରିବନି: ସୁର ରାଉତରାୟ

ପ୍ରଥମେ ଚାବି ହଜିଲା ଏବେ ଫାଇଲ, କେତେବେଳେ ତିନିଠାକୁରଙ୍କୁ କିଏ ନେଇଯିବ ଏ ନବୀନ ସରକାର ଜାଣିପାରିବନି।

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ରାଜ୍ୟ ପ୍ରଶାସନ ଶ୍ରୀମନ୍ଦିରର ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୁର ରାଉତରାୟ। ସେ କହିଛନ୍ତି, ପ୍ରଥମେ ଚାବି ହଜିଲା ଏବେ ଫାଇଲ, କେତେବେଳେ ତିନିଠାକୁରଙ୍କୁ କିଏ ନେଇଯିବ ଏ ନବୀନ ସରକାର ଜାଣିପାରିବନି।

ସୁର ରାଉତରାୟ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ଚାବି ହଜିଲା ପରେ କଂଗ୍ରେସ ଏନେଇ ଅଭିଯୋଗ ଆଣିଥିଲା, ଅଭିଯୋଗ ପରେ ଚାବି ମିଳିଥିଲା। ଯଦି ରତ୍ନଭଣ୍ଡାର ଚାବି ମିଳିଲା କେତେ କ’ଣ ଧନ ମିଳିଲା ବାହାର କର। ଏ ପ୍ରହସନ ବନ୍ଦ କର, କ’ଣ ପାଇଁ ଜଗନ୍ନାଥଙ୍କ ଜିନିଷ ହଜାଉଛ ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ।

ଅନ୍ୟପକ୍ଷେ, ଶ୍ରୀମନ୍ଦିର ଫାଇଲ ହଜିଯିବା ପ୍ରସଙ୍ଗରେ ଥାନାରେ ଅଭିଯୋଗ କରିଛି ବିଜେପି। କ୍ୟାପିଟାଲ ଥାନାରେ ୬ ଜଣିଆ ବିଜେପି ପ୍ରତିନିଧି ଦଳର ଅଭିଯୋଗ। ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଟିମ୍। ଜାଣିଶୁଣି ଫାଇଲ୍ ହଜାଇ ଦିଆଯାଇଥିବା ଅଭିଯୋଗ କଲେ ଲଳିତେନ୍ଦୁ।

ମିଳିଥିବା ସୂଚନା ମୁତାବିକ, ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଇଛି। ବହୁ ଖୋଜାଖୋଜି ପରେ ମଧ୍ୟ ଆଇନ ବିଭାଗ ଏହାକୁ ପାଇପାରୁ ନାହିଁ। ଫଳରେ ଏହାକୁ ଖୋଜି ବାହାର କରିବା ଲାଗି ଚିଠି କରାଯାଇଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ଜଗନ୍ନାଥ ମନ୍ଦିର ପ୍ରଶାସନର ଉକ୍ତ ଦୁଇଟି ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ବିଭାଗୀୟ ସମସ୍ତ ଶାଖାକୁ ଚିଠି ଲେଖାଯିବା ପରେ ଏହି ସଙ୍ଗୀନ ତଥ୍ୟ ପଦାକୁ ଆସିଛି। ଯାହାକୁ ନେଇ ଆରମ୍ଭ ହୋଇଛି ଆଶା ଆଶଙ୍କା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ୍‌ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ଆଜି ସବୁ ବିଭାଗକୁ ଚିଠି କରାଯାଇଛି।

Leave A Reply

Your email address will not be published.