Odisha Link
Bridging the Missing Links in Odisha

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓୟୁଏଟିର ଶୈକ୍ଷିକ କୃଷି ଫାର୍ମରେ ଭୂମିପୂଜା କରିବା ସହ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ। ହାତରେ ଲଙ୍ଗଳ ଧରି ଜଗା ବଳିଆ ବଳଦ ସାହାଯ୍ୟରେ ଅଖିମୁଠି ଅନୁକୂଳ କରିଛନ୍ତି। ଅନ୍ୟପଟେ ଆଜିର ଦିବସକୁ କୃଷକ ଦିବସ ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାର।

ଓୟୁଏଟିରେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ରାଜ୍ୟ ବିହନ ପରୀକ୍ଷାଗାରର ପରିସରରେ ନୂତନ ପ୍ରଶାସନିକ ଗୃହ ଓ କୃଷକ ଆବାସ ଉଦଘାଟନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସହ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଗୃହକୁ ଉଦଘାଟନ କରିଛନ୍ତି। ଆଜିଠୁ ଆରମ୍ଭ ହେଉଥିବା ନୂତନ ସେବା ଦ୍ଵାରା କୃଷକ ଅନେକ ସୁବିଧା ପାଇବେ ଏବଂ ପରୀକ୍ଷାଗାରର କ୍ଷମତା ଓ ଦକ୍ଷତା ବଢିବ ବୋଲି କହିଛନ୍ତି ମନ୍ତ୍ରୀ।

ଅକ୍ଷୟ ତୃତୀୟା ଅବସରରେ ମାଟି ମାଆକୁ ପୂଜା କରି ଅଖିମୁଠି ଅନୁକୂଳ କରିଛି ଚଷା ପୁଅ। କ୍ଷେତରେ ବିହନ ବୁଣିବା ସହ ଭଲ ଅମଳ ପାଇଁ ମାଟି ମାଆକୁ ପୂଜା କରିଛି ଚାଷୀକୂଳ। ବିଶ୍ବାସ ରହିଛି ଏହି ଦିନ ଜମିରେ ବିହନ ମୁଠାଏ ପକେଇ ପୂଜା କରି ଚାଷ ଆରମ୍ଭ କଲେ ଭଲ ଚାଷ ହୋଇଥାଏ। ଯାହାକୁ ବିଶ୍ବାସ କରି ଅକ୍ଷି ମୁଠି ଅନୁକୂଳ କରେ ଚାଷୀ।

Leave A Reply

Your email address will not be published.