ବ୍ରାହ୍ମଣୀ ନଦୀରେ ବୁଡ଼ିଗଲା ଡଙ୍ଗା, ଡଙ୍ଗାରେ ଥିଲେ ୩୦ ଯାତ୍ରୀ

ଓଏଲ୍ ବ୍ୟୁରୋ: ସକାଳୁ ସକାଳୁ କେନ୍ଦ୍ରାପଡ଼ାରୁ ଆସିଲା ଅଘଟଣ ଖବର। ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲା ଡଙ୍ଗା। ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ ଘଟିଛି। ଡଙ୍ଗାବୁଡ଼ି ଘଟଣାରେ ଏବେ ବି ୨ଜଣ ନିଖୋଜ ଅଛନ୍ତି। ଗ୍ରାମବାସୀ ଖୋଜାଖୋଜି କରୁଥିଲେ ବି ନିଖୋଜଙ୍କ ପତ୍ତା ମିଳି ପାରିନି।
ମିଳିଥିବା ଖବର ମୁତାବକ, ଆଜି ସକାଳେ ଏକ ଡଙ୍ଗା ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲା।ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସେହି ଡଙ୍ଗାରେ ୩୦ ଜଣ ଯାତ୍ରୀ ମଧ୍ୟ ଥିଲେ। ଗ୍ରାମବାସୀ ସଙ୍ଗେ ସଙ୍ଗେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କ ପତ୍ତା ମିଳିନି।
ସବୁଠୁ ବଡ଼କଥା ହେଲା ଏକମାଣିଆ ପଞ୍ଚାୟତ ପାଣି ଘେରରେ ଥିବା ବେଳେ ଏଠାକାର ବାସିନ୍ଦା ବାହାରକୁ ଯିବା ନିମନ୍ତେ ସବୁଦିନ ଡଙ୍ଗା ଉପରେ ନିର୍ଭର କରିଥାନ୍ତି। ଫଳରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।